ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅଞ୍ଜଳୀ ମଛଖଣ୍ଡଙ୍କ ନିର୍ଦ୍ଦେଶରେ ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା ଏବଂ ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରାଙ୍କ ମିଳିତ ଉଦ୍ୟମରେ କିଛି ସ୍ୱେଚ୍ଛାସେବୀଙ୍କ ସହାୟତାରେ ଉଲଗ୍ନ ଏବଂ ମୁମୁର୍ଷୁ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାରକରି ନୟାଗଡ଼ ମୁଖ୍ୟ ଚିକିତ୍ସାଳୟର ଭେଷଜ ବିଭାଗରେ ଭର୍ତି କରାଯାଇଛି । ପ୍ରକାଶ ଥାଉକି ଜିଲ୍ଲା ଦୌରାଜଜ୍ ଆନନ୍ଦ ନାରାୟଣ ମହାରଣାଙ୍କ ଗାଡ଼ି ଡ୍ରାଇଭର ସୁଶାନ୍ତ କୁମାର ପଟ୍ଟନାୟକ (ସିତୁ) ଏବଂ ରେଡ୍କ୍ରସର ସଦସ୍ୟ ବିଭୂତି ପଟ୍ଟନାୟକ ଓ ତାଙ୍କ ସହଯୋଗୀ ଉଲଗ୍ନ ଏବଂ ମୁମୁର୍ଷୁ ଅବସ୍ଥାରେ ଯୁବକ ଜଣକ ପଡ଼ିଥିବାର ଦେଖି ରାତ୍ର ୮ଟା ୩୦ମିନିଟ୍ ସମୟରେ ସଚିବ ଅଞ୍ଜଳୀ ମଛଖଣ୍ଡଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ସଚିବ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ଅଧିକାର ମିତ୍ର ଏବଂ କର୍ମଚାରୀଦ୍ୱୟଙ୍କୁ ଦାୟିତ୍ୱ ଦେଇଥିଲେ । ତାପରେ ଉଦ୍ଧାର କାର୍ଯ୍ୟକ୍ରମ ଆରମ୍ଭ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭେଷଜ ବିଭାଗରେ ଭର୍ତି କରାଯାଇଥିଲା । ଜିଲ୍ଲା ଆଇନସେବା ପ୍ରାଧିକରଣର ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।






