ନୟାଗଡ଼, (ବାଘୁଆବାର୍ତ୍ତା):ନୟାଗଡ଼ ଜିଲ୍ଲା ପ୍ରଶାସନ, ରାଜ୍ୟ ଯୁବ ଓ କ୍ରୀଡ଼ା ବିଭାଗ, ଓଡିଶା ଏବଂ ଯୋଗ ମହୋତ୍ସବ ସମିତି, ଓଡିଶାଙ୍କ ସଂଯୁକ୍ତ ଉଦ୍ୟମରେ ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ – ୨୦୨୬ ତା୨୧ ଜୁନ ୨୦୨୬ ରିଖରେ ଡାଇମଣ୍ଡ ଜୁବିଲି ଅଡିଟୋରିୟମ, ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟ ଠାରେ ଆୟୋଜିତ ହୋଇଯାଇଅଛି।
ଏହି କାର୍ଯ୍ୟକ୍ରମର ମୁଖ୍ୟବାର୍ତ୍ତା ହେଉଛି “ନିୟମିତ ଯୋଗ କରନ୍ତୁ ଏବଂ ସୁସ୍ଥ ରୁହନ୍ତୁ” । ସୁସ୍ଥ ବାର୍ଦ୍ଧକ୍ୟ ନିମନ୍ତେ ଯୋଗର ମହତ୍ଵ ପ୍ରଚାର ଓ ପ୍ରସାର କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଅଟେ। ପ୍ରାରମ୍ବରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକାରୀ ଶ୍ରୀ ଜ୍ୟୋତିପ୍ରଭା ସାମନ୍ତରାୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଅରିତିକ୍ତ ଜିଲ୍ଲାପାଳ ଶ୍ରୀମତି ରୋଜିନା ଦାସ ,ମୁଖ୍ୟ ଉନୟନ ଅଧିକାରୀ ଜିଲ୍ଲା ପରିଷଦ, ନୟାଗଡ ଶ୍ରୀ ଲଗ୍ନଜିତ ରାଉତ ,ଶ୍ରୀମତି ସୁଜାତା କୁମାରୀ ସାହୁ, ଜିଲ୍ଲା କ୍ରିଡା ଅଧିକାରୀ, ନୟାଗଡ଼ ଏବଂ ନୟାଗଡ ଯୋଗ ସମିତି ସଂଯୋଜକ ଶ୍ରୀ ରମେଶ ମହାରଣା ଓ ଶ୍ରୀ କମଳାକାନ୍ତ ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ| ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଶିକ୍ଷା ସଂସ୍ଥା, ଯୁବ ସଂଗଠନ, ସାମ୍ବାଦିକ ବର୍ଗ, ଜନ ପ୍ରତିନିଧିଙ୍କ ସହିତ ସମାଜର ବିଭିନ୍ନ ବର୍ଗର ପ୍ରାୟ ୬୦୦ ବ୍ୟକ୍ତି ବିଶେଷ ଅଂଶଗ୍ରହଣ କରିଥିଲେ। ଏହି ଯୋଗାଭ୍ୟାସ କାର୍ଯ୍ୟକ୍ରମଟି ପ୍ରାତଃ ୬ ଘଟିକାରୁ ୮ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଯୋଗ ମହୋତ୍ସବ ସମିତି, ଓଡିଶାର ଯୋଗ ଶିକ୍ଷକ ମାନେ ଏହି ଯୋଗାଭ୍ୟାସ କାର୍ଯ୍ୟକ୍ରମଟିକୁ ପରିଚାଳନା କରିବାରେ ମୁଖ୍ୟ ସହାୟକ ହୋଇଥିଲେ। ଏହି କାର୍ଯ୍ୟକ୍ରମଟିକୁ ନୟାଗଡ଼ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀମତୀ ସୁଜାତା କୁମାରୀ ସାହୁ ସୁପରିଚାଳନା କରିଥିଲେ ଏବଂ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ |






