ଭୁବନେଶ୍ୱର (ବାଘୁଆବାର୍ତ୍ତା): ମାଡି ଆସୁଛି ବାତ୍ୟା ୟଶ । ୨୬ରେ ଏହା ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳରେ ମାଡ ହେବ ବୋଲି ଅନୁମାନ କରାଯାଉଛି । ତେବେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ସମୀକ୍ଷା ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ସମ୍ଭାବ୍ୟ ବାତ୍ୟା ୟଶକୁ ନେଇ ସମୀକ୍ଷା କରିବେ । ଏହାସହ ବାତ୍ୟା ମୁକାବିଲା ନେଇ ମଧ୍ୟ ଆଲୋଚନା କରିବେ । ଏହି ବୈଠକରେ ୧୪ ଜିଲ୍ଲାର ଜିଲ୍ଲାପାଳ ଉପସ୍ଥିତ ରହିବେ । ସେହିପରି ମୁଖ୍ୟ ଶାସନ ସଚିବଙ୍କ ସହ ଏସଆରସି ଓ ଅନ୍ୟ ଅଧିକାରୀମାନେ ସମୀକ୍ଷା ବୈଠକରେ ଉପସ୍ଥିତି ରହିବା ନେଇ ସୂଚନା ମିଳିଛି । ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ବାତ୍ୟା ଅତି ଭୀଷଣ (ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ) ରୂପ ନେବ । ୧୬୦ କିଲୋମିଟରକୁ ଟପିପାରେ ପବନର ବେଗ । ପବନ ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ଧରି ମାଡି ଆସିବ ବାତ୍ୟା ‘ୟଶ’ । ପାଣିପାଗ ବିଭାଗ ଆକଳନ କହୁଛି, ଉତ୍ତର ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳରେ ୨୬ ତାରିଖରେ ମାଡ ହୋଇପାରେ । ଆଇଏମଡି ପୂର୍ବନୁମାନ କହୁଛି, ଶୁକ୍ରବାର ସଂଧ୍ୟା ସୁଦ୍ଧା ଦକ୍ଷିଣ-ପୂର୍ବ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଶନିବାରକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପରେ ପରିଣତ ହେବ । ୨୪ ତାରିଖ ସୁଦ୍ଧା (ସୋମବାର) ଘନୀଭୂତ ହୋଇ ବାତ୍ୟା ‘ୟଶ’ ରୂପ ନେବ । ଭେରି ସିଭିୟର ସାକ୍ଲୋନିକ ଷ୍ଟର୍ମ ରୂପ ନେଲେ ପବନର ବେଗ ୧୧୮ ରୁ ୧୬୬ କିଲୋମିଟର ଯାଏ ରହିବ । ଭୟାନକ ରୂପ ନେବ ସମୁଦ୍ର । ବାତ୍ୟାର କେନ୍ଦ୍ର ସ୍ଥଳରେ ୧୪ ମିଟର ଯାଏ ଢେଉ ଉଠିପାରେ ।






