ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସଜେଇ ହେଲାଣି କଳିଙ୍ଗ ଷ୍ଟାଡିୟମ୍ । ପ୍ରଥମ ଥର ପାଇଁ କଳିଙ୍ଗ ଷ୍ଟାଡିୟମ୍ରେ ବିନା ଦର୍ଶକରେ ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଛି । ଗୁରୁବାର ଠାରୁ ଆରମ୍ଭ ହେବ ଏଫ୍ଆଇଏଚ୍ ଜୁନିୟର ପୁରୁଷ ହକି ବିଶ୍ୱ କପ୍। କଳିଙ୍ଗ ଷ୍ଟାଡିୟମ୍ରେ ୧୬ ଟି ଦେଶର ପତାକା ଛାଇ ହୋଇଗାଲାଣି । ମୁଖ୍ୟ ଗ୍ରାଉଣ୍ଡରେ ଚାଲିଛି ଅଭ୍ୟାସ। ବିଶ୍ୱ କପ୍ ଆରମ୍ଭ ହେବାକୁ ଆଉ ଗୋଟିଏ ଦିନ ବାକି ରହିଲା ଭାରତୀୟ ଦଳ ସମେତ ୧୬ ଟିମ୍ ନିଜର ପ୍ରସ୍ତୁତି ଚଳାଇଛନ୍ତି । ପରସ୍ପର ସହ ଅଭ୍ୟାସ ମ୍ୟାଚ୍ ଖେଳୁଛନ୍ତି। କଳିଙ୍ଗ ଷ୍ଟାଡିଅମ୍ ସହିତ କିଟ୍ ହକି ଗ୍ରାଉଣ୍ଡରେ ବିଭିନ୍ନ ଦଳ ଅଭ୍ୟାସ ଜାରି ରଖିଛନ୍ତି । ବିଶ୍ୱ କପ୍ ଆୟୋଜକ ଭାରତକୁ ନେଇ ମୋଟ୍ ୧୬ ଟି ଟିମ୍ ଭାଗ ନେଉଛନ୍ତି । ଦଳ ଗୁଡିକ ହେଲା ଭାରତ, ବେଲଜିୟମ, ଫ୍ରାନ୍ସ, ଜର୍ମାନୀ, ନେଦରଲାଣ୍ଡସ, ସ୍ପେନ, ଇଜିପ୍ଟ, ଦକ୍ଷିଣ ଆଫ୍ରିକା, ପାକିସ୍ତାନ, ମାଲେସିଆ, ଦକ୍ଷିଣ କୋରିଆ, ଆର୍ଜେଣ୍ଟିନା ଚିଲି, କାନାଡ଼ା, ପୋଲାଣ୍ଡ ଓ ଆମେରିକା । ଖେଳାଳି ଓ ଅଫିସିଆଲ୍ସଙ୍କୁ ମିଶାଇ ମୋଟ୍ ୬୦୦ ଜଣ ଟୁର୍ଣ୍ଣାମେଣ୍ଟରେ ସାମିଲ ହେଉଛନ୍ତି । ୨୦୧୬ ସଂସ୍କରଣ ଭାରତ ଆୟୋଜନ କରିଥିଲା । ଲକ୍ଷ୍ନୌରେ ଆୟୋଜିତ ଏହି ବିଶ୍ୱକପ୍ରେ ଘରୋଇ ଦଳ ଚାମ୍ପିଅନ ହୋଇଥିଲା । କ୍ରମାନ୍ୱୟରେ ଦ୍ୱିତୀୟ ଥର ଭାରତ ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛି । ବିଶ୍ୱ ଟାଇଟଲ ବଜାୟ ରଖିବା ନେଇ ଆଶାବାଦୀ ରହିଛି ।






