ନୟାଗଡ଼,(ବାଘୁଆବାର୍ତ୍ତା): ଗତକାଲି ରାତିରେ ଚୋରା କାଠ ଚାଲାଣ ହେଉଥିବା ନେଇ କୈାଣସି ସୁତ୍ରରୁ ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି ଖବରପାଇବା ପରେ ଖଣ୍ଡପଡ଼ା ବନାଂଚଳକୁ କାଠବୋଝେଇ ଟ୍ରାକ୍ଟର ଧରିବାକୁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ବନ କର୍ମଚାରୀମାନେ କାଠବୋଝେଇ ଟ୍ରାକ୍ଟରକୁ ଜବତ କରିଥିବା ବେଳେ ଡ୍ରାଇଭର ଖସି ଯାଇଥିବା ଜଣାପଡ଼ିଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବନାଂଚଳ ଅନ୍ତର୍ଗତ କୋଟପୋଖରୀ ଅଂଚଳରେ ଚୋରାକାଠ ଚାଲାଣ ନେଇ ସୂଚନା ମିଳିବା ପରେ ଖଣ୍ଡପଡ଼ା ଏବଂ କଣ୍ଟିଲୋ ବନକର୍ମଚାରୀମାନେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ଓଆର ୨୫ ସି ୬୧୭୧ ନମ୍ବର ବିଶିଷ୍ଟ ଟ୍ରାକ୍ଟରରେ ଶାଳ ବହ୍ଲା ବୋଝେଇ କରାଯାଇ ଚାଲାଣ କରାଯାଉଥିବା ବନ କର୍ମଚାରୀମାନେ ଦେଖିବାକୁ ପାଇଥିଲେ । ଟ୍ରାକ୍ଟରକୁ ଅଟକାଇବା ବେଳକୁ ଡ୍ରାଇଭର ଗାଡ଼ି ରଖି ଚମ୍ପଟ ମାରିଥିବା ବନ ବିଭାଗ ପକ୍ଷରୁ କୁହା ଯାଇଥିବା ବେଳେ ପ୍ରକୃତ ଘଟଣା ସନ୍ଦେହ ଜନକ ଅବସ୍ଥାରେ ରହିଛି । ଏହି ଟ୍ରାକ୍ଟରର ମାଲିକାନା କୈାଳାସ ପ୍ରଧାନଙ୍କ ନାମରେ ରହଛି । ଏନେଇ ବନଖଣ୍ଡ ଅଧିକାରୀଙ୍କୁ ପଚାରିବାରେ ସେ ଗାଡ଼ି ମାଲିକଙ୍କୁ ନୋଟିସ କରାଯିବ ବୋଲି କହିଛନ୍ତି ।






