ଭଂଜନଗର, (ବାଘୁଆବାର୍ତ୍ତା): ବନ୍ଦ ଘର ଭିତରୁ ମିଳିଲା ମହିଳା ଇଂଜିନିୟରଙ୍କ ମୃତ ଦେହ । ଘର ଭିତର ପଟୁ ବନ୍ଦ ଥିବା ବେଳେ ସିଲିଂ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ମୃତ ଦେହ ମିଳିଛି । ଏଭଳି ଘଟଣା ଘଟିଛି ଭଂଜନଗର ଅଞ୍ଚଳରେ । ସୂଚନାନୁସାରେ, ଗଞ୍ଜାମ ଜିଲ୍ଲା ଭଂଜନଗର ଅଞ୍ଚଳରେ ଜଣେ ମହିଳା ଇଂଜିନିୟର ରହୁଥିଲେ । ଆଜି ସକାଳୁ ସାହି ପଡିଶା ଲୋକ ଘର ବନ୍ଦ ଥିବା ବେଳେ ସେହିଘରୁ ଦୁର୍ଗନ୍ଧ ବାହାରିବାରୁ ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଦେଖିଲା ବେଳକୁ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତ ଦେହ ଝୁଲିଚି । ତେବେ ସେ ୪-୫ଦିନ ହେଲା ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଇଛି । ମୃତଦେହ ଉଦ୍ଧାର ପରେ ବ୍ୟବଛେଦ ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ହତ୍ୟା ପ୍ରକୃତ ଘଟଣା ଜଣାପଡିବ । ମୃତ ମହିଳା ଜଣକ ହେଲେ ଇଂ ଜେ ଅନିତା । ସେ ଗ୍ରାମୀଣ ବିକାଶ ବିଭାଗରେ ଜୁନିଅର ଇଂଜିନିୟର ଭାବେ କାମ କରୁଥିଲେ । ପରିବାର ଲୋକ ବ୍ରହ୍ମପୁରରେ ରହୁଥିବା ବେଳେ ସେ ଭଂଜନଗରରେ ଭଡାଘରେ ଏକୁଟିଆ ରହିଆସୁଥିଲେ । କଣ ପାଇଁ ସେ ଆତ୍ମହତ୍ୟା କରିଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ପୁଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।





