ଭୁବନେଶ୍ୱର,(ବାଘୁଆବାର୍ତ୍ତା): ବି.କେ.ଏନ୍ ଦୁଗ୍ଧ ସଂଘର ଭ୍ରାମ୍ୟମାଣ ଗୋ-ଚିକିତ୍ସା ସେବା ଓ ଗୋଯତ୍ନ ସମ୍ବନ୍ଧୀୟ ଦୂରଭାଷ ପରାମର୍ଶ ସେବା କେନ୍ଦ୍ରର ଶୁଭ ଉଦ୍ଘାଟନ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ୍ ତି୍ରପାଠୀଙ୍କ ଦ୍ୱାରା ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲାପାଳ ତଥା ବି.କେ.ଏନ୍ ଦୁଗ୍ଧ ସଂଘର ପ୍ରଶାସକ ଶ୍ରୀ ଚଞ୍ଚଳ ରାଣା, ମୁଖ୍ୟ ଜିଲ୍ଲା ପ୍ରାଣୀଚିକିତ୍ସା ଅଧିକାରୀ ଡା. ଦିଗମ୍ବର ନାୟକ ଉପସ୍ଥିତ ଥିଲେ । ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ା ଏହି ତିନୋଟି ଜିଲ୍ଲାକୁ ନେଇ ଏହି ଦୁଗ୍ଧ ସଂଘ ବି.କେ.ଏନ୍ ଗଠନ କରାଯାଇଛି ଏବଂ ଏହାର ମୁଖ୍ୟାଳୟ ବଲାଙ୍ଗୀରଠାରେ ରହିଛି । ଉଦ୍ଘାଟନ କାର୍ଯ୍ୟକ୍ରମ ସହିତ ବି.କେ.ଏନ୍ ଦୁଗ୍ଧ ସଂଘର ‘ଗୋପାଳନ ମାଧ୍ୟମରେ ଗ୍ରାମାଞ୍ଚଳର ଦୁଗ୍ଧ ଚାଷୀଙ୍କ ସାମାଜିକ ଉତ୍ଥାନ ସମ୍ବନ୍ଧୀୟ କର୍ମଶାଳା’ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା । ଏହି ଅବସରରେ ୩ ଜଣ ପ୍ରାଣୀଚିକିତ୍ସକ ଡା. ଭବାନୀ ଶଙ୍କର ବେହେରା, ଡା. ସୁବ୍ରତ କୁମାର ରଥ ଓ ଡା. ପଲ୍ଲବୀ ପି୍ରୟଦର୍ଶିନୀଙ୍କୁ ଗୋପାଳନ ବିକାଶ ଦିଗରେ ଅତୁଳନୀୟ ଅବଦାନ ପାଇଁ ଏବଂ ଜଣେ ଦୁଗ୍ଧ ଚାଷୀ ଶ୍ରୀ ସତ୍ୟନାରାୟଣ ବେହେରାଙ୍କୁ ଲଗାତାର ୩ ବର୍ଷ ଧରି ସର୍ବାଧିକ ଦୁଗ୍ଧ ଯୋଗାଣ କରିଥିବା ଯୋଗୁଁ ପ୍ରଶଂସା ପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ବି.କେ.ଏନ୍ ଦୁଗ୍ଧ ସଂଘର ସମସ୍ତ ସମିତିର ସଂପାଦକ ଓ ହେଡ୍ଲୋଡରମାନଙ୍କୁ ଜୀବନ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରାଗଲା । ତା’ଛଡ଼ା ଦୁଗ୍ଧ ସଂଘର ଦ୍ୱିତୀୟ ସଂସ୍କରଣର ସମାଚାର ଅତିଥିବୃନ୍ଦଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ଦୁଗ୍ଧ ସଂଘରେ ବର୍ତ୍ତମାନ ସୁଦ୍ଧା ୧୫ ହଜାର ଦୁଗ୍ଧ ଚାଷୀଙ୍କଠାରୁ ଦୈନିକ ୫୦ ହଜାର ଲିଟର ଦୁଗ୍ଧ ସଂଗ୍ରହ କରାଯାଉଛି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଆଗକୁ ଯେପରି ଦୁଗ୍ଧ ସଂଘରେ ୩୦ ହଜାର ଦୁଗ୍ଧ ଚାଷୀ ଜଡ଼ିତ ହେବେ ସେ ଦିଗରେ ପ୍ରଚେଷ୍ଟା କରିବା ପାଇଁ ପ୍ରବର୍ତ୍ତାଇଥିଲେ । ଏହି ଦୂରଭାଷ ପରାମର୍ଶ ସେବାର ବୈଷୟିକ ସହାୟତା ଓଡ଼ିଶା ଇନ୍ଫୋଟେକ୍ ସଂସ୍ଥା ସହାୟତାରେ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ସଂଘର ସାଧାରଣ ପରିଚାଳକ ଡ. ସରୋଜ କୁମାର ସାହୁ ସଂଯୋଜନା କରିଥିବାବେଳେ ପ୍ରାଣୀ ଚିକିତ୍ସା ବିଭାଗ, କେତେକ ସମିତି ସଂପାଦକ, ସାମ୍ବାଦିକ ଓ ଦୁଗ୍ଧ ସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ । ପୂର୍ବରୁ ଶ୍ରୀ ତି୍ରପାଠୀ ଜିଲ୍ଲାପାଳଙ୍କ ସହ ବଲାଙ୍ଗୀର ସହରସ୍ଥିତ ମହାରାଣୀ ସାଗର, କରଙ୍ଗାକଟା, ଇନ୍ଡୋର ଷ୍ଟାଡିୟମ୍, ଏଲ୍ ଏଣ୍ଡ ଏସ୍ କ୍ଲବ୍, ଗଟେ ସରୋବର ଏବଂ ମହାଲକ୍ଷ୍ମୀ ନଗରଠାରେ ନିର୍ମାଣାଧୀନ କଲ୍ୟାଣ ମଣ୍ଡପ ଆଦି ବୁଲି ଦେଖିବା ସହ ସେଗୁଡ଼ିକର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ ।






