ଭୁବନେଶ୍ଵର, (ବାଘୁଆବାର୍ତ୍ତା): ସ୍ତ୍ରୀକୁ ହତ୍ୟା କରି ବେଡ୍ ବକ୍ସରେ ଭର୍ତ୍ତି କରିଦେଲା ସ୍ଵାମୀ। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ହଳଦି ଗାଁରେ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଅଭିଯୁକ୍ତ ସ୍ଵାମୀ ଫେରାର୍ ହୋଇଯାଇଛି। ହତ୍ୟାର କାରଣ ଜଣାପଡ଼ି ନାହିଁ। ସୂଚନାନୁଯାୟୀ, ଚନ୍ଦାହାଣ୍ଡି ଥାନା ହଳଦି ଗାଁର ଦୁଷ୍ମନ୍ତ ନାୟକ ତାଙ୍କ ସ୍ତ୍ରୀ ଅନିତା ସୋରିଙ୍କୁ ହତ୍ୟା କରି ବେଡ୍ ବକ୍ସରେ ଭର୍ତ୍ତି କରିଦେଇଥିଲା। ମହିଳାଙ୍କ ପରିବାର ଲୋକେ ସନ୍ଦେହ କରି ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ଚନ୍ଦାହାଣ୍ଡି ପୋଲିସ ପହଞ୍ଚି ଘର ତାଲା ଭାଙ୍ଗି ବେଡ୍ ବକ୍ସ ଭିତରେ ମହିଳାଙ୍କ ଶବ ଦେଖିବାକୁ ପାଇଥିଲା। ତେବେ କେଉଁ କାରଣ ପାଇଁ ଦୁଷ୍ମନ୍ତ ସ୍ତ୍ରୀଙ୍କୁ ହତ୍ୟା କରିଛି ତାହା ଜଣାପଡ଼ି ନାହିଁ। ସାଇଣ୍ଟିଫିକ ଟିମ୍ ପହଞ୍ଚିବା ପରେ ମହିଳାଙ୍କ ଶବ ଉଦ୍ଧାର କରାଯିବ ବୋଲି ପୋଲିସ କହିଛି। ସେପଟେ ଅନିତାଙ୍କୁ ହତ୍ୟା କରିବା ପରେ ଦୁଷ୍ମନ୍ତ କେଉଁଆଡ଼େ ଫେରାର୍ ହୋଇଯାଇଛି।






