ପଶ୍ଚିମବଙ୍ଗ, (ବାଘୁଆବାର୍ତ୍ତା): ପଶ୍ଚିମବଙ୍ଗ ନିର୍ବାଚନ ସରିବା ପରର ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଜୋରଦାର ଝଟକା ଲାଗିଛି । ଏହି ଝଟକା ଦେଇଛନ୍ତି ପଶ୍ଚିବଙ୍ଗ ହାଇକୋର୍ଟ । ନିର୍ବାଚନୀ ପରର ହିଂସାକୁ ନେଇ ପଶ୍ଚିମବଙ୍ଗ ହାଇକୋର୍ଟ ମାମଲାରେ ଏଫଆଇଆର କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତତ ସହିତ ଯେଉଁମାନେ ହିଂସାରେ ପ୍ରଭାବିତ ହୋଇଛନ୍ତି ସେହି ବ୍ୟକ୍ତିମାନଙ୍କୁ ମାଗଣାରେ ଚିକିତ୍ସା ଓ ରାସନ୍ ସାମଗ୍ରୀ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଖାଲି ଏତିକି ନୁହେଁ ଏହି ମାମଲାରେ ଏନଏଚଆରସି ଟିମର ତଦନ୍ତ ଅବଧିକୁ ବଢ଼ାଇଛନ୍ତି ହାଇକୋର୍ଟ। ଏବେ ଜୁଲାଇ ୧୩ ଯାଏ ଏନଏଚଆରସି ଏହି ମାମଲାର ତଦନ୍ତ କରିବ। ଏଥିସହ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୩ରେ ହେବ ବୋଲି କୋର୍ଟ ସ୍ଥିର କରିଛନ୍ତି। ଏହି ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇ କହିଛନ୍ତି ନିର୍ବାଚନ ପରେ ହୋଇଥିବା ସମସ୍ତ ହିଂସା ମାମଲାର ସମସ୍ତ ଦସ୍ତାବିଜ ସୁରକ୍ଷିତ ରହିବା ଦରକାର। ସୂଚନାନୁସାରେ, ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପରେ ଅନେକ ଲୋକ ହିଂସାର ଶିକାର ହୋଇ ପଡ଼ୋଶୀ ରାଜ୍ୟକୁ ପଳାଇଛନ୍ତି। ପ୍ରାଣ ଭୟରେ ସେମାନେ ଆଉ ଫେରିବାକୁ ଚାହୁଁ ନାହାନ୍ତି ବୋଲି ଅଭିଯୋଗ ରହିଛି। ହେଲେ ସରକାର ଏସବୁ ଅଭିଯୋଗକୁ ଗ୍ରହଣ କରୁନଥିଲେ। ପରେ ସେହି ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଏବଂ ଫେରାଇ ଆଣିବାକୁ ଏକ ପିଆଇଏଲ ଦାଖଲ ହୋଇଥିଲା। କୋର୍ଟ ଗତମାସରେ ଏହି ମାମଲାର ଶୁଣାଣି କରି ଜାତୀୟ ମାନବାଧିକାର କମିଶନଙ୍କୁ ହିଂସା ମାମଲାର ତଦନ୍ତ ଦାୟିତ୍ୱ ଦେଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୭ ଜଣିଆ ଟିମ୍ ଗଠନ କରିଥିଲେ ଜାତୀୟ ମାନବାଧିକାର କମିଶନ। ଏହି ଟିମ୍ ନିକଟରେ ଯାଦବପୁର ତଦନ୍ତ କରିବାକୁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ। ଆକ୍ରମଣ ପଛରେ ଟିଏମସି ରହିଥିବା ଅଭିଯୋଗ ହୋଇଥିଲା।





