ଭୁବନେଶ୍ବର, (ବାଘୁଆବାର୍ତ୍ତା): କିଛି ମାସ ତଳେ କଣାସରେ ଝାଡ଼ାବାନ୍ତିରେ ସାରା ରାଜ୍ୟରେ ଚହଳ ପକାଇଥିଲା । ଦୟା ନଦୀର ଦୂଷିତ ଜଳ ପିଇ ଅନେକ ଲୋକ ମୃତ୍ୟୁବରଣ କରିଥିଲେ । ହେଲେ ଏତେ ସବୁ ପରେବି ଚେତିନି ପ୍ରଶାସନ । ଏବେ ବି ଜଳ ଯନ୍ତ୍ରଣାରେ ଘାଣ୍ଟି ହେଉଛନ୍ତି କଣାସର ୧୦ ପଞ୍ଚାୟତ । ଦୟା, ମକରା ନଦୀର ଦୂଷିତ ଜଳ ଭରସାରେ ବଞ୍ଚୁଛି କଣାସ । ଦିନେ କି ଦୁଇ ଦିନ ନୁହେଁ ବର୍ଷ ବର୍ଷ ଧରି ପାନୀୟ ଜଳ ପାଇଁ ସଂଘର୍ଷ କରୁଛନ୍ତି ପୁରୀ ଜିଲ୍ଲା କଣାସ ବ୍ଲକର ବାସିନ୍ଦା । କେବଳ ଖରା ଦିନ ନୁହେଁ ବର୍ଷକ ୧୨ ମାସ ଏଠାରେ ଲୋକମାନେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୟା, ମକରା ନଦୀର ଦଳ ଭର୍ତ୍ତି ଦୂଷିତ ପାଣି ବ୍ୟବହାର କରୁଛନ୍ତି ୧୦ ପଞ୍ଚାୟତର ୪୦ହଜାରରୁ ଅଧିକ ଲୋକ । ୨୦୧୮ରୁ ମେଗା ପାନୀୟ ଜଳ ପ୍ରକଳ୍ପ କାମ ଆରମ୍ଭ ହୋଇଛି । ହେଲେ ଆଜି ଯାଏଁ କାମ ସରିନି । ପ୍ରଶାସନ ତରଫରୁ ଟ୍ୟାଙ୍କର ପାଣି ବି ମିଳୁନି । କିଛି ଦିନ ପୂର୍ବରୁ କଣାସରେ ଝାଡ଼ାବାନ୍ତି ସାରା ରାଜ୍ୟରେ ଚହଳ ପକାଇଥିଲା । ଦୟା ନଦୀର ଦୂଷିତ ପାଣି ପିଇ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିଲା । ତଥାପି ସରକାରଙ୍କ ଚେତା ପଶିନି । ୪ମାସ ତଳେ କଣାସ ପରିଦର୍ଶନରେ ଆସିଥିଲେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ । ଖୁବଶୀଘ୍ର ଲୋକଙ୍କ ଘରେ ପିଇବା ପାଣି ପହଞ୍ଚିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏଯାଏଁ ପରିସ୍ଥିତିରେ କିଛି ପରିବର୍ତ୍ତନ ହୋଇନାହିଁ । ଅଞ୍ଚଳରେ ସ୍ଥିତିର ସୁଧାର ପାଇଁ ଅନେକ ଥର ଧାରଣା ଦିଆଯାଇଛି, ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ତଥାପି ଜଳ ସମସ୍ୟାର ସମାଧାନ ପାଇଁ କିଛି ପଦକ୍ଷେପ ନନେବା ସମସ୍ତଙ୍କୁ ଆଶ୍ଚର୍ୟ୍ୟଚକିତ କରିଛି ।