ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସଦର ବ୍ଲକର ବାଉଁସିଆପଡ଼ା ପଞ୍ଚାୟତ କାର୍ୟ୍ୟାଳୟ ପରିସରରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଓଡିଶା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସଂସ୍ଥାନ, ସି.ଇ. ଡି ଏବଂ ସହଭାଗୀ ଏନ.ଜି.ଓ ସି.ଇ.ଇ.ଆର୍.ଏଙ୍କ ମିଳିତ ସହଯୋଗରେ ଜଳ ଜୀବନ ମିଶନର ଏକ ପଞ୍ଚାୟତ ସ୍ତରୀୟ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବାଉଁସିଆପଡ଼ା ପଞ୍ଚାୟତର ସରପଞ୍ଚ କୂଳମଣି ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ୟ୍ୟକ୍ରମଟିକୁ ଉଦଘାଟନ କରିଥିଲେ । ସି.ଇ.ଇ ଆର୍.ଏ ତରଫରୁ ସଦସ୍ୟ ସତ୍ୟଜ୍ୟୋତି ମହାନ୍ତି ସ୍ୱାଗତ ଭାଷଣ ଦେବା ସହ କାର୍ୟ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିଲେ । ସି.ଇ.ଇ.ଆର୍.ଏ ର ସମ୍ପାଦକ ଦିଲ୍ଲୀପ୍ କୁମାର ପଣ୍ଡା ଜଳ ଜୀବନ ମିଶନ ର ଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ ସବିଶେଷ ଆଲୋଚନା କରିଥିଲେ ଏବଂ ଏହି କାର୍ୟ୍ୟକ୍ରମକୁ ସଫଳ କରିବା ପାଇଁ ପଞ୍ଚାୟତବାସୀ ତଥା ପଞ୍ଚାୟତର ପ୍ରତିନିଧିମାନଙ୍କର ସହଯୋଗ ଲୋଡ଼ିଥିଲେ । ସରପଞ୍ଚ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଏହି ଜଳ ଜୀବନ ମିଶନ କାର୍ୟ୍ୟକ୍ରମ ପାଇଁ ତଥା ବାଉଁସିଆପଡ଼ା ଗ୍ରାମପଞ୍ଚାୟତ ପାଇଁ ମନ୍ତ୍ରୀ ଡ. ଅରୁଣ ସାହୁଙ୍କର ଅହେତୁକ ସହଯୋଗ ରହିଛି ଏବଂ କାର୍ୟ୍ୟକ୍ରମ ଟିକୁ ସଫଳ କରିବା ପାଇଁ ପଞ୍ଚାୟତ ତରଫରୁ ସମ୍ପୂର୍ଣ୍ଣ ସହଯୋଗ ରହିବ ବୋଲି ଶ୍ରୀ ପଟ୍ଟନାୟକ ପ୍ରତିଶୃତି ଦେଇଥିଲେ। ସିଇଡି ର ନୟାଗଡ଼ ଟିମ୍ ଲିଡ଼ ସନ୍ତୋଷ କୁମାର ଚୌଧୁରୀ ଉକ୍ତ କାର୍ୟ୍ୟକ୍ରମରେ ପଞ୍ଚାୟତର ପ୍ରତ୍ୟକ ଗ୍ରାମରେ ଗ୍ରାମ୍ୟ ଜଳ ପରିମଳ କମିଟି ଗଠନ, ଏହାର ଆବଶ୍ୟକତା ଏବଂ ଗ୍ରାମ୍ୟ କାର୍ୟ୍ୟକାରୀ ଯୋଜନା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। ପରିଶେଷରେ ସି.ଇ.ଇ.ଆର୍.ଏ ତରଫରୁ ପଞ୍ଚାୟତ କୋ-ଓଡ଼ିନେଟର ବିକ୍ରମ କିଶୋର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଉପସ୍ଥିତ ସମସ୍ତ ପ୍ରତିନିଧି ବାଉଁସିଆପଡ଼ା ପଞ୍ଚାୟତରେ ପ୍ରତି ପରିବାରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଶପଥ କରିଥିଲେ ।






