ରାଉରକେଲା ବିଜୟୀ
ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ବ୍ଲକ ଅନ୍ତର୍ଗତ ଘଡ଼ୁଆଳ ପଂଚାୟତର ଦୁର୍ଗାପ୍ରସାଦଠାରେ ରାଜ୍ୟ ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଜୟଦୁର୍ଗା କ୍ଲବର ୨୦ତମ ବାର୍ଷିକ ଉତ୍ସବ ଉପଲକ୍ଷେ ଅନୁଷ୍ଠିତ ଏହି ରାଜ୍ୟ ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟରେ ୪ଟି ଦଳ ଅଂଶ ଗ୍ରହଣ କରିଥିଲେ । ପ୍ରଥମ ମ୍ୟାଚରେ ରାଇଜିଂ କ୍ଲବ ରାଉରକେଲା ବନାମ ଜୟଦୁର୍ଗା ବ୍ଲକ ଦୁର୍ଗାପ୍ରସାଦ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଉରକେଲା ବିଜୟୀ ହୋଇଥିଲା । ଦ୍ୱିତୀୟ ମ୍ୟାଚରେ ବାଲେଶ୍ୱର ସ୍ପୋର୍ଟ୍ସ ହଷ୍ଟେଲ ବନାମ ତ୍ରିବେଣୀ କେନ୍ଦୁଝର ପରସ୍ପରକୁ ଭେଟିଥିଲେ । ଏଥିରେ କେନ୍ଦୁଝର ବିଜୟୀ ହୋଇଥିଲା । ଫାଇନାଲ ମ୍ୟାଚ କେନ୍ଦୁଝର ଓ ରାଉରକେଲା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଉରକେଲା ବିଜୟୀ ହୋଇଥିଲା । ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇ ଖେଳର ବିକାଶ ପାଇଁ କ୍ଲବର ସଦସ୍ୟମାନଙ୍କର ଅସୀମ ଇଚ୍ଛାଶକ୍ତିକୁ ପ୍ରଶଂସା କରିଥିଲେ । ନୟାଗଡ଼ରେ କ୍ରୀଡ଼ାର ବିକାଶ ଦ୍ରୁତତମ ଭାବେ ହେଉଥିବା ନେଇ ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ । କ୍ଲବର ସଭାପତି କୈଳାଶ ଚନ୍ଦ୍ର ଜେନା, ଉପସଭାପତି ହାଡ଼ିବନ୍ଧୁ ଜେନା, ସଂପାଦକ ରବିନ୍ଦ୍ର କୁମାର ଜେନା ଏବଂ କ୍ଲବର ସମସ୍ତ ସଦସ୍ୟମାନେ ଯୋଗ ଦେଇ ବାର୍ଷିକ ଉତ୍ସବ ଓ କ୍ରୀଡ଼ାକୁ ସଫଳ କରିଥିଲେ । ଏହି ଖେଳରେ ସ୍କୋରରଭାବେ ସୁଦର୍ଶନ ଜେନା, ଭାସ୍ୟକାର ବିଶ୍ୱରଂଜନ ବେହେରା ସହଯୋଗ କରିଥିଲେ ।







