ସମ୍ବଲପୁର, (ବାଘୁଆବାର୍ତ୍ତା): ଭିମ୍ସାରରେ ପୁଣି ବିବାଦୀୟ ସୁରକ୍ଷା ସଂସ୍ଥା ଏକ୍ଜୁକ୍ୟୁଟିଭ୍ ସିକ୍ୟୁରିଟି ସର୍ଭିସେସ୍ ନାଁରେ ଆସିଲା ସାଂଘାତିକ ଅଭିଯୋଗ । ଡାକ୍ତରଖାନାରେ ରୋଗୀଙ୍କୁ ଦିଆଯିବା ପାଇଁ ଥିବା ଅଣ୍ଡା ଓ କ୍ଷୀରକୁ ଖୋଦ୍ ସୁରକ୍ଷା କର୍ମୀ ହିଁ ଚୋରି କରୁଥିବା ନେଇ ଅଭିଯୋଗ ହୋଇଛି । ଏହି ଘଟଣାରେ ପୁଲିସ୍ ଉକ୍ତ ସୁରକ୍ଷା କର୍ମୀ ଅରଞ୍ଜନ ଷଣ୍ଢକୁ ଅଟକ ରଖି ପଚରାଉଚରା ଚଳାଇଥିଲା । ପରେ କିନ୍ତୁ ପୁଲିସ୍ ଆପୋଷ ବୁଝାମଣାରେ ଅଭିଯୁକ୍ତକୁ ଛାଡ଼ି ଦେଇଥିବା ଜଣାପଡ଼ିଛି । ଅଭିଯୋଗ ଅନୁସାରେ, ମନ୍ଦାକିନୀ ବେହେରା ଭିମ୍ସାରର ଖାଦ୍ୟ ବଣ୍ଟନ ଦାୟିତ୍ୱରେ କାର୍ୟ୍ୟ କରନ୍ତି । ସୋମବାର ଦିନ ୧୧ଟା ସମୟରେ ସେ ରୋଗୀଙ୍କୁ ଖାଦ୍ୟ ବାଣ୍ଟିବା ପାଇଁ ୩ ନଂ ୱାର୍ଡ ବାରଣ୍ଡାରେ ଖାଦ୍ୟ ଗାଡ଼ି ରଖିଥିଲେ । ଏହି ସମୟରେ ଅରଞ୍ଜନ ୩ଟି ଅଣ୍ଡା ଓ ଗୋଟିଏ କ୍ଷୀର ପ୍ୟାକେଟ୍ ଚୋରି କରି ନେଇଯାଉଥିଲା । ମନ୍ଦାକିନୀ ମନା କରିବାରୁ ତାଙ୍କୁ ଗାଳିଗୁଲଜ କରିଥିଲା । ଏହାକରେ ତାକୁ ଅନ୍ୟ ସୁରକ୍ଷା କର୍ମୀ ଧରି ପୁଲିସ୍ର ଜିମା ଦେଇଥିଲେ । ବାରମ୍ବାର ଭିମ୍ସାରର ଏହି ସୁରକ୍ଷା ସଂସ୍ଥା ନାଁରେ ଏଭଳି ଅଭିଯୋଗ ଆସୁଥିଲେ ହେଁ କର୍ତ୍ତୃପକ୍ଷ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ ନକରିବା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।






