ବୁର୍ଲା, (ବାଘୁଆବାର୍ତ୍ତା): ବୁର୍ଲା ମେଡିକାଲ୍ରେ ଥିବା ସିଟିସ୍କାନ୍ ମେସିନ୍ ଆଜି ଅଚଳ ହୋଇଥିବା ଜଣାପଡ଼ିଛି । ଗତକାଲି ଦିନ ୧୨ଟା ପରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ମେସିନ୍ ଅଚଳ ହୋଇପଡ଼ିଛି । ଫଳରେ ଏକାଧିକ ରୋଗୀ ସିଟିସ୍କାନ୍ କରିବାରୁ ବଞ୍ଚିତ ହୋଇଛନ୍ତି । କିଛି ରୋଗୀ ଜରୁରି ଥିବାରୁ ଘରୋଇ ନର୍ସିଂହୋମ୍କୁ ଯାଇ ସିଟିସ୍କାନ୍ କରିଛନ୍ତି । ଶୁକ୍ରବାର ଭୁବନେଶ୍ୱରରୁ ଇଞ୍ଜିନିୟର୍ ଆସି ମେସିନ୍ ସଜାଡ଼ିବେ ବୋଲି ମେଡିକାଲ ପକ୍ଷରୁ ସୂଚନା ମିଳିଛି । ବୁର୍ଲା ମେଡିକାଲରେ ବର୍ତ୍ତମାନ ଗୋଟିଏ ମାତ୍ର ସିଟିସ୍କାନ୍ ମେସିନ୍ ରହିଥିବା ବେଳେ ମେସିନ୍ରେ ଚାପ ବଢୁଛି । ୨୪ ଘଣ୍ଟା ଧରି ଏହି ମେସିନ୍ ଚାଲୁ ରହୁଥିବା ବେଳେ ଅନେକ ସମୟରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଉଛି । ତେଣୁ ଭିମ୍ସାର୍ରେ ଆଉ ଏକ ସିଟି ସ୍କାନ ମେସିନ୍ ବ୍ୟବସ୍ଥା କରିବାକୁ ରୋଗୀ ମହଲରେ ଦାବି ହେଉଛି ।





