ଭୁବନେଶ୍ୱର,(ବାଘୁଆବାର୍ତ୍ତା): ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ତାତି । ରାଜ୍ୟର ସମସ୍ତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପାନୀୟ ଜଳର ଉତ୍କଟ ସଙ୍କଟ ଦେଖା ଦେଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଖରାଦିନ ପାଇଁ ଜଳ ଯୋଗାଣ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଜଳ ଯୋଗାଣ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଛୁଟି ବାତିଲ କରିଥିବା ସୂଚନା ମିଳିଛି । ଏଥିସହ ପାନୀୟ ଜଳ ସମସ୍ୟା ପାଇଁ ସରକାରଙ୍କ ପକ୍ଷରୁ ୩ଟି ଟୋଲ ଫ୍ରି ନମ୍ବର ମଧ୍ୟ ଜାରି କରାଯାଇଛି । ଏନେଇ ପଞ୍ଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇ କହିଛନ୍ତି, ଗ୍ରାମାଞ୍ଚଳ ପାଇଁ ୧୯୧୬ ଓ ସହରାଞ୍ଚଳ ପାଇଁ ୧୫୫୩୫୯ ନମ୍ବର ଜାରି କରାଯାଇଛି । ସେହିପରି ସହରାଞ୍ଚଳ ପାଇଁ ଅନ୍ୟ ଏକ ନମ୍ବର ୧୮୦୦୫୪୫୬୭୮୩ ଜାରି କରାଯାଇଛି । ୧୧୪ଟି ପୌରାଞ୍ଚଳର ୬୫୦ଟି ସ୍ଥାନରେ ଉତ୍କଟ ପାନୀୟ ଜଳ ସମସ୍ୟା ରହିଛି । ସହରାଞ୍ଚଳରେ ୩୬ ହଜାର ୯୩୨ଟି ନଳକୂପ ଖରାପ ଅଛି । ନଳକୂପ ମରାମତି ପାଇଁ ୧୬୧ଟି ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିବା ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି ।





