ତିହିଡି, (ବାଘୁଆବାର୍ତ୍ତା): ପବିତ୍ର ଦଶହରା ଉତ୍ସବରେ ମା’ଙ୍କୁ ମେଲାଣି ଦିଆଯାଉଥିଲା । ଏତିକିବେଳେ ତିହିଡି ବ୍ଲକର ମଙ୍ଗଳପୁର ପଞ୍ଚାୟତରେ ଦେଖିବାକୁ ମିଳିଥିଲା ଭିନ୍ନ ଏକ ଦୃଶ୍ୟ । ବାସୁଦେବପୁର ବିଧାନସଭା ଅନ୍ତର୍ଗତ ତିହିଡି ବ୍ଲକର ୯ଟି ପଞ୍ଚାୟତରେ ଏଥର ଗାଁ ଲୋକେ ସରପଞ୍ଚ ବାଛିବେ ବୋଲି ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଘୋଷଣା କରିଥିଲେ । ଏହି ମର୍ମରେ ଆଜି ମଙ୍ଗଳପୁର ପଞ୍ଚାୟତର ଗାଁ ଦାଣ୍ଡରେ ଗାଁ ଲୋକେ ନିଜ ସରପଞ୍ଚ ଓ ସମିତିସଭ୍ୟ ବାଛି ବିଧାୟକଙ୍କ ହାତରେ ଚିଠା ଧରାଇ ଦେଇଥିଲେ । କେବଳ ଅନୁମୋଦନକୁ ଅପେକ୍ଷା । ବିଜେଡି ପକ୍ଷରୁ ଆୟୋଜିତ ସଭାରେ ଗାଁ ଲୋକେ ରୁଣ୍ଡିଭୂତ ହୋଇ ବିଜୟାଦଶମୀ ପାଳନ କରିବା ସହ ନିଜ ପଞ୍ଚାୟତର ମୁରବୀ ବାଛିଥିଲେ । ସର୍ବସମ୍ମତିକ୍ରମେ କନାଟିଆ ଗାଁର ଲେଙ୍କା ପରିବାରରୁ ସରପଞ୍ଚ ଓ କମାରିଆରୁ ସମିତି ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ହୋଇଥିଲା । କମଳା ଲେଙ୍କାଙ୍କ ଧର୍ମପତ୍ନୀ ପୁଷ୍ପାଞ୍ଜଳି ଲେଙ୍କାଙ୍କୁ ସରପଞ୍ଚ ପ୍ରାର୍ଥୀ କରିବାକୁ ବିଜେଡି କର୍ମୀ ରିଜୋଲ୍ୟୁସନ କରିଥିବା ବେଳେ ମଙ୍ଗଳପୁର ପଞ୍ଚାୟତର ବିଜେଡି ନେତା ପ୍ରବୀର ନାୟକଙ୍କୁ ସମିତି ପ୍ରାର୍ଥୀ ଭାବେ ଚିହ୍ନଟ କରିଥିଲେ । ମୋଟାମୋଟି ଭାବେ ଭଦ୍ରକ ଜିଲ୍ଲାର ୨୧୮ଟି ପଞ୍ଚାୟତ ମଧ୍ୟରୁ ପ୍ରଥମ କରି ଆନୁଷ୍ଠାନିକ ଭାବେ ଗାଁ ଲୋକେ ନିଜ ଗାଁ ଦାଣ୍ଡରେ ନିଜ ଦଳର ପ୍ରାର୍ଥୀ ବାଛିବା ପରମ୍ପରା ସୃଷ୍ଟି କରାଯାଇଛି ତିହିଡି ବ୍ଲକର ମଙ୍ଗଳପୁର ପଞ୍ଚାୟତରେ । ତେବେ ଏହାକୁ ଲୋକେ କେତେ ଗ୍ରହଣ କରୁଛନ୍ତି, ତାକୁ ଦେଖିବାକୁ ବାକି ରହିଲା ।






