ଭୁବନେଶ୍ୱର, (ବାଘୁଆବାର୍ତ୍ତା): ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘର ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ଚଢାଉ । ଭୁବନେଶ୍ୱର କାନନ ବିହାର ଘର ଛାତ ଉପରୁ ପଡୋଶୀ ଛାତକୁ ଫିଙ୍ଗି ଦିଆଗଲା ପେଟି ପେଟି ଟଙ୍କା । ଗୋଟିଏ ବ୍ରିଫ କେସ ଓ ୬ଟି ପେଟିରୁ ବିପୁଳ ଟଙ୍କା ଜବତ କରିଛି ଭିଜିଲାନ୍ସ । ଏହି ପେଟି ଗୁଡିକରେ ୫୦୦ ଟଙ୍କାର ବିଡା ବିଡା ନୋଟ୍ ଭର୍ତ୍ତି ହୋଇ ରହିଛି ।
ଭିଜିଲାନ୍ସ ଟିମ୍ ଚଢାଉ କରିବା ପାଇଁ ଆସିବା ବେଳେ ତରବରିଆ ଭାବେ ଏହି ଟଙ୍କା ଭର୍ତ୍ତି ପେଟି ଗୁଡିକ ପ୍ରଶାନ୍ତ ରାଉତଙ୍କ ଘରକୁ ଲାଗି ରହିଥିବା ଆଉ ଏକ ଘର ଛାତ ଉପରକୁ ଫିଙ୍ଗି ଦିଆଯାଇଥିଲା । ଏହି ସବୁକୁ ଜବତ କରିଛି ଭିଜିଲାନ୍ସ । ତେବେ ପଡୋଶୀ ଘର ସଦସ୍ୟ ଏନେଇ କିଛି ସ୍ପଷ୍ଟ ଉତ୍ତର ରଖିପାରିନାହାନ୍ତି ଯେ ଟଙ୍କା କେଉଁଠୁ ଆସିଲା ।
ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ବିରୋଧରେ ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ରେଡ୍ କରୁଛି ଭିଜିଲାନ୍ସ । ଭଦ୍ରକ, ଭୁବନେଶ୍ୱର ସମେତ ୯ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ । ଭୁବନେଶ୍ୱର କାନନ ବିହାର ସ୍ଥିତ ଦୁଇ ମହଲା ବାସଭବନ, ନବରଙ୍ଗପୁର ସ୍ଥିତ ସରକାରୀ ବାସଭବନ ଓ କାର୍ୟ୍ୟାଳୟ, ଭଦ୍ରକର ବାହୁଡରଡ ସ୍ଥିତ ପୈତୃକ ବାସଭବନ ସମେତ ୯ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍ । ରେଡ୍ରେ ୨ଆଡିସନାଲ ଏସପି, ୭ଡିଏସପି ଓ ୮ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି ।





