ଉଭୟଙ୍କଠାରୁ ୧ଲକ୍ଷ ୪୫ ହଜାର ଓ ବୋଲେରୋ
ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଭିଜିଲାନ୍ସ ହାତରେ ଧରାପଡ଼ଛନ୍ତି ନୟାଗଡ଼ର ଦୁଇ ଅଧିକାରୀ । ଭିଜିଲାନ୍ସ ସେମାନଙ୍କଠାରୁ ଏକ ଲକ୍ଷ ୪୫ ହଜାର ଟଙ୍କା ଓ ବୋଲେରୋ ଜବତ କରିଛି । ସୂଚନାନୁସାରେ, ନୟାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ (ଏକ)ର ନିର୍ବାହୀ ଯନ୍ତ୍ରୀ ଶିଶିର ରଂଜନ ପୃଷ୍ଟି ଏବଂ ସହକାରୀ ଯନ୍ତ୍ରୀ ଗୋବିନ୍ଦ ସାହୁ ଆଜି ଅସଦ୍ ଉପାୟରେ ଅର୍ଥ କମାଇଥିବା ନେଇ ନୟାଗଡ଼ ଭିଜିଲାନ୍ସ ବିଭାଗ ଖବର ପାଇଥିଲା । ଯାହାକୁ ନେଇ ଭିଜିଲାନ୍ସ ଡିଏସପି ତାଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଜାଲ ବିଛାଇଥିବା କହିଛନ୍ତି । ସଂନ୍ଧ୍ୟା ସମୟରେ ନିର୍ବାହୀ ଅଧିକାରୀ ଏବଂ ସହକାରୀ ନିର୍ବାହୀ ଯନ୍ତ୍ରୀ ଟଙ୍କା ଧରି ଭୂବନଶ୍ୱେର ଯିବା ପାଇଁ ବାହାରିଥିଲେ । ତାଙ୍କ ବାସ ଭବନଠାରୁ ଓଡି ୨୧ ଇ ୩୨୫୧ ନମ୍ବର ବିଶିଷ୍ ବୋଲେରୋ ଗାଡ଼ିରେ ଉଭୟ କିଛି ବାଟ ଆସିବା ବେଳକୁ ଭିଜିଲାନ୍ସ ଟିମ ଗାଡ଼ି ଅଟକାଇ ଯାଂଚ କରିଥିଲା । ଏହି ଯାଂଚ ସମୟରେ ନିର୍ବାହୀ ଯନ୍ତ୍ରୀଙ୍କଠାରୁ ୧ ଲକ୍ଷ ୧୯ ହଜାର ଟଙ୍କା ଜବତ ହୋଇଥିବା ବେଳେ ସହାକାରୀ ନିର୍ବାହୀ ଯନ୍ତ୍ରୀଙ୍କଠାରୁ ୨୬ ହଜାର ଟଙ୍କା ଜବତ ହୋଇଥିବା ନେଇ ଡିଏସପି ସୂଚନା ଦେଇଛନ୍ତି । ଉଭୟଙ୍କୁ ଜିଲ୍ଲା ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ପଚରାଉଚରା ଚାଲିଥିବା ଜଣାପଡ଼ିଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ନିର୍ବାହୀ ଯନ୍ତ୍ରୀ ଶିଶିର ରଂଜନ ପୃଷ୍ଟିଙ୍କ ଘର ଗଂଜାମ ଜିଲ୍ଲା ଆସ୍କା ବୋଲି ଜଣାପଡ଼ିଥିବା ବେଳେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘର କଟକ କିଶୋର ନଗର ।







