ବୌଦ୍ଧ, (ବାଘୁଆବାର୍ତ୍ତା): ଭିଜିଲାନ୍ସ ଜାଲରେ ପଡିଲେ ପୁଣି ଜଣେ ପୋଲିସ ଅଧିକାରୀ । ଅନୁଗୋଳ ଜିଲ୍ଲା କିଆକଟା ଥାନା ଏଏସଆଇ ନବୀନ କୁମାର ଶତପଥୀଙ୍କୁ ଧରିଲା ବ୍ରହ୍ମପୁର ଭିଜିଲାନ୍ସ । ସୂଚନାଯୋଗ୍ୟ ଯେ, ପାରିବାରିକ ମାମଲାକୁ ରଫାଦଫା କରିବା ପାଇଁ ୮ହଜାର ଟଙ୍କା ନେଉଥିବା ବେଳେ ପୋଲିସ ବାବୁ ଧରାପଡିଛନ୍ତି । ବେଲାଦୁଲା ଗ୍ରାମର ପଞ୍ଚାନନ ମେହେରଙ୍କ ଠାରୁ ଟଙ୍କା ନେଉଥିଲେ । ପୂର୍ବରୁ ୨ ହଜାର ଟଙ୍କା ନେଇଥିଲେ । ପୁଣି ୧୫ ହଜାର ଟଙ୍କା ମାଗିଥିଲେ । ବୁଧବାର ୮ ହଜାର ଟଙ୍କା ନେଉଥିବା ବେଳେ ବୌଦ୍ଧ ବସଷ୍ଟାଣ୍ଡରୁ ଧରିଲା ଭିଜିଲାନ୍ସ । ଗତ ୨୧ ତାରିଖରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା IIC ପୁଷ୍ପଲତା ରାଉତରାୟ ଭିଜିଲାନ୍ସ ହାତରେ ଧରାପଡିଥିଲେ । ସେ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଥିଲା । ବେଆଇନ ବାଲି ବୋଝେଇ ଟ୍ରକ୍ ଛାଡ଼ିବା ପାଇଁ ସେ ଲାଞ୍ଚ ନେଉଥିଲେ । ଗତ ପ୍ରାୟ ଏକ ମାସ ତଳେ ମହାନଦୀ ସୁରୁଣ୍ଡି ବାଲି କ୍ୱାରୀରୁ ଫୁଲବାଣୀ ବାଲି ଚାଲାଣ କରୁଥିବା ଅଭିଯୋଗରେ ୩ଟି ହାଇୱାକୁ ଜବତ କରିଥିଲେ IIC ପୁଷ୍ପଲତା ରାଉତରାୟ । ପରବର୍ତ୍ତୀ ସମୟରେ ଉକ୍ତ ଜବତ ହାଇୱା ଗୁଡିକୁ ରିଲିଜ କରିବା ପାଇଁ ବାଲି କ୍ୱାରୀ ମାଲିକ ଶରତ ବେହେରାଙ୍କୁ କୁଆଡେ ଲକ୍ଷାଧିକ ଟଙ୍କା ଲାଞ୍ଚ ମାଗିଥିଲେ । ତେବେ କୁହାବୁଲା କରି ଆପୋଷ ବୁଝାମଣାରେ ତାହା ଏକ ଲକ୍ଷ ଟଙ୍କାରେ ଛିଣ୍ଡିଥିଲା । ଏ ନେଇ ଶରତ ବ୍ରହ୍ମପୁର ଭିଜିଲାନ୍ସ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ । ଭିଜିଲାନ୍ସ ବିଭାଗ ଯୋଜନା ମୁତାବକ ୨୧ ତାରିଖ ଦିନ ୨ଟା ବେଳେ ଶରତ ଏକ ଲଫପା ଭିତରେ ରାସାୟନିକ ମିଶ୍ରିତ ୧ ଲକ୍ଷ ଟଙ୍କା ନେଇ ହରଭଙ୍ଗା ଥାନାରେ IICଙ୍କୁ ଦେଇଥିଲେ । ଏହି ସମୟରେ ପୂର୍ବ ଯୋଜନା ଅନୁସାରେ ଛପି ରହିଥିବା ଭିଜିଲାନ୍ସ ପୋଲିସ ତାଙ୍କୁ ମାଡି ବସିଥିଲେ ।





