ଦେବଗଡ, (ବାଘୁଆବାର୍ତ୍ତା): ଭିଜିଲାନ୍ସ ଜାଲରେ ଦେବଗଡ ଜିଲ୍ଲା ରିଆମାଳ ବ୍ଲକ୍ ଏକାଉଣ୍ଟସ୍ ଅଫିସର । ରିଆମାଳ ବ୍ଲକ୍ରେ କାର୍ୟ୍ୟରତ ଏକାଉଣ୍ଟସ୍ ଅଫିସର ରାଜେନ୍ଦ୍ର ଦାଶ । ଏକ ଅଙ୍ଗନଓ୍ବାଡୀ ଘର ନିର୍ମାଣର ଆଂଶିକ ବିଲ୍ ଦୁଇ ଲକ୍ଷ ଟଙ୍କା ପେମେଣ୍ଟ ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲେ ଭିଜିଲାନ୍ସ ବିଭାଗ । ରିଆମାଳ ବ୍ଲକ୍ ଅନ୍ତର୍ଗତ ଟୀଙ୍କବିର ଗ୍ରାମର ବିଜୟ କୁମାର ନାୟକ ଏନେଇ ଦେବଗଡ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ । ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶକ୍ରମେ ଦେବଗଡ ଡିଏସପି ଯୋଗେନ୍ଦ୍ର ପ୍ରସାଦ ପଟେଲ ଓ ଝାରସୁଗୁଡ଼ା ଡିଏସପି ପ୍ରଦୀପ କୁମାର ଆଇନ୍ଦଙ୍କ ନେତୃତ୍ଵରେ ସ୍ବତନ୍ତ୍ର ଟିମ୍ ଘଟଣା ଉପରେ ନଜର ରଖିଥିଲେ । ଅଭିଯୋଗକାରୀ ରାସାୟନିକ ପଦାର୍ଥ ବୋଳାଯାଇଥିବା ୬ ହଜାର ଟଙ୍କା ଅଫିସରେ ନେଇ ତାଙ୍କୁ ଦେଇଥିବା ବେଳେ ସେ ଟଙ୍କାକୁ ଟେବୁଲ ଡ୍ରୟର ମଧ୍ୟରେ ରଖିଥିଲେ । ପରେ ଭିଜିଲାନ୍ସ ଟିମ୍ ସେଠାରେ ପହଞ୍ଚି ଟେବୁଲ ଡ୍ରୟର ମଧ୍ୟରୁ ଲାଞ୍ଚ ଟଙ୍କା ଉଦ୍ଧାର କରିଥିଲେ । ଏହି ଘଟଣା ପରେ ତାଙ୍କ ରିଆମାଳ ବାସଭବନରେ ଖାନତଲାସୀ କରାଯାଇଥିଲା । ସେହିପରି ସୁନ୍ଦରଗଡ ଭିଜିଲାନ୍ସ ବିଭାଗର ଏକ ଟିମ ତାଙ୍କ ପୈତୃକ ବାସଭବନ ସମ୍ବଲପୁର ଜିଲ୍ଲା ଠେଲକୁଲି ଥାନା ଅନ୍ତର୍ଗତ ଲପଙ୍ଗା ଗ୍ରାମରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି । ଅଭିଯୁକ୍ତ ଏକାଉଣ୍ଟସ୍ ଅଫିସର ରାଜେନ୍ଦ୍ର ଦାଶଙ୍କୁ ଦେବଗଡ ଭିଜିଲାନ୍ସ କାର୍ୟ୍ୟାଳୟରେ ଅଟକ ରଖାଯାଇ ଅଧିକ ପଚରାଉଚୁରା କରାଯାଉଛି ।





