ମୁମ୍ବାଇ: (ବାଘୁଆବାର୍ତ୍ତା) ଚିନ୍ତା ବଢ଼ାଇଲା ବାଘ। ଜଙ୍ଗଲ ଭିତରେ ସମସ୍ତଙ୍କର ମୁଣ୍ଡ ବିନ୍ଧାର କାରଣ ପାଲଟିଛି ଏହି ବାଘ। ଗାଁ ଲୋକଙ୍କୁ ନାକେଦମ୍ କରିଛି ଏହି ବାଘ । ଏହି ବାଘକୁ ଖୋଜିବାକୁ ସମସ୍ତେ ଲାଗିପଡିଛନ୍ତି। ଏହି ବାଘ ଖୋଜା ଅଭିଯାନରେ ସାମିଲ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲନ। ସୂଚନାନୁସାରେ ରିଲିଜ ହୋଇଥିବା ବିଦ୍ୟାଙ୍କ ଅପ୍କମିଂ ଫିଲ୍ମ ‘ଶେରନୀ’ର ଟ୍ରେଲରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ। ବନ ବିଭାଗ ଅଫିସର ସାଜି ବିଦ୍ୟା ଘଞ୍ଚ ଜଙ୍ଗଲ ଭିତରେ ବାଘକୁ ଖୋଜିବା ପାଇଁ ବାହାରି ପଡିଛନ୍ତି। ତାଙ୍କ ସହ ବନ ବିଭାଗର ଅନ୍ୟ କର୍ମଚାରୀମାନେ ମଧ୍ୟ ଅଛନ୍ତି। ବିଦ୍ୟା ଜଙ୍ଗଲ ଏବଂ ଗାଁ ମଧ୍ୟରେ ସନ୍ତୁଳନ ବଜାୟ ରଖିବା ପାଇଁ ଚେଷ୍ଟା କରୁଛନ୍ତି। ନିର୍ଦ୍ଦେଶକ ଅମିତ ମସୁରକରଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମଟି ମାନବ ଜାତି ଏବଂ ପଶୁଙ୍କ ମଧ୍ୟରେ ସଂଘର୍ଷର କାହାଣୀ ଉପରେ ଆଧାରିତ। ଏଥିରେ ବିଦ୍ୟା ବାଲନ ଲିଡ୍ ରୋଲରେ ଅଛନ୍ତି ତାଙ୍କୁ ଏଥିରେ ଜଣେ ମଧ୍ୟସ୍ତରୀୟ ଫରେଷ୍ଟ ଅଫିସର ଭୂମିକାରେ ଦେଖିବାକୁ ମିଳିବ। ବିଦ୍ୟାଙ୍କ ବ୍ୟତୀତ ଏହି ଫିଲ୍ମରେ ଶରତ ସକ୍ସେନା, ବିଜୟ ରାଜ, ମୁକୁଲ ଚଡ୍ଡା, ଇଲା ଅରୁଣ, ବ୍ରିଜେନ୍ଦ୍ର କଲା ଏବଂ ନୀରଜ କାବି ଭଳି ଷ୍ଟାର ଅଛନ୍ତି। ଆସନ୍ତା ୧୮ ତାରିଖରେ ଫିଲ୍ମଟି ଓଟିଟି ପ୍ଲାଟଫର୍ମ ଆମାଜନ୍ ପ୍ରାଇମରେ ରିଲିଜ ହେବ।






