ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): କେତେକ ଆଞ୍ଚଳିକ ନେପାଳୀ ଗଣମାଧ୍ୟମ କୋଭିଡ୍-୧୯ ନିରୋଧୀ ଟିକା ‘ସାଇନୋଫାର୍ମ’ର ଖରିଦ ମୂଲ୍ୟ ପ୍ରକାଶ କରିଦେବା କାରଣରୁ କାଠମାଣ୍ଡୁ ଉପରେ ବେଜିଙ୍ଗ୍ ଉତ୍କ୍ଷିପ୍ତ ହୋଇଛି। ଚୀନ୍ ନେପାଳକୁ ଡୋଜ୍ପିଛା ୧୦ ଡଲାର୍ ମୂଲ୍ୟରେ ‘ସାଇନୋଫାର୍ମ’ ଟିକା ବିକ୍ରୟ କରୁଛି ବୋଲି ଆଞ୍ଚଳିକ ସେଠାକାର ଆଞ୍ଚଳିକ ଗଣମାଧ୍ୟମ ସବୁ ପ୍ରକାଶ କରିଛନ୍ତି। ପୂର୍ବ ରିପୋର୍ଟ ଅନୁସାରେ, କୋଭିଡ୍-୧୯ ଟିକା ‘ସାଇନୋଫାର୍ମ’ ପାଇବା ଲାଗି ନେପାଳ ଚୀନା କମ୍ପାନି ସହିତ ଏକ ରାଜିନାମାରେ ସ୍ବାକ୍ଷର କରିଥିଲା। ଟିକାର ଖରିଦ ମୂଲ୍ୟ ପ୍ରଘଟ ନ କରିବା ପାଇଁ ଉକ୍ତ ରାଜିନାମାରେ ସର୍ତ୍ତ ରହିଥିଲା। କିନ୍ତୁ, ଏହି ରାଜିନାମାର ବୈଧ୍ୟତା ବିଷୟରେ ସାଧାରଣରେ ସନ୍ଦେହ ଉପୁଜିଥିଲା। ଉକ୍ତ ରାଜିନାମା ବଳବତ୍ତର ଥାଇ ସୁଦ୍ଧା ‘ଦି କାଠମାଣ୍ଡୁ ପୋଷ୍ଟ୍’ରେ ପ୍ରକାଶିତ ଆଲେଖ୍ୟରେ ‘ସାଇନୋଫାର୍ମ’ର ଖରିଦ ମୂଲ୍ୟ ଉଲ୍ଲେଖ କରାଯାଇଛି। ଡୋଜ୍ ପିଛା ୧୦ ଡଲାର୍ ବା ଟ. ୭୫୦/-ରେ ନେପାଳ ୪ ନିୟୁତ ଡୋଜ୍ ଚୀନ୍ର ‘ସାଇନୋଫାର୍ମ’ ଟିକା ଖରିଦ କରିଛି। ଅବଶ୍ୟ ଆଲେଖ୍ୟରେ ଉଲ୍ଲେଖ ଅଛି ଯେ, ଏହା ଟିକାର ଆନୁମାନିକ ଖରିଦ ମୂଲ୍ୟ। ରାଜିନାମା ଅନୁସାରେ ଏହାର ମୂଲ୍ୟ କେତେ ତାହା ଜଣାପଡ଼ିନାହିଁ। କିନ୍ତୁ, ଡୋଜ୍ପିଛା ୧୦ ଡଲାର୍ ହୋଇଥାଇ ପାରେ।






