ଭୂବନେଶ୍ୱର, (ବାଘୁଆବାର୍ତ୍ତା) : ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ଲଟିନମ୍ ଜୁବୁଲି ନଭେମ୍ବର ୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ ପାଂଚ ଦିନ ଧରି ଅନୁଷ୍ଠିତ ହେବ । ୨୪ ତାରିଖରେ ପୂର୍ବତନ ଛାତ୍ରଛାତ୍ରୀମାନଙ୍କର ବିରାଟ ବନ୍ଧୁ ମିଳନ ହେବା ସହ ୨୭ ତାରିଖରେ ଉତ୍କଳ ବିଶ୍ୱ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳନ କରାଯିବ । ପୁରୁଣା ବନ୍ଧୁମାନଙ୍କ ସହିତ ଯୋଡ଼ି ହେବା ଏପରିକି ଘରୁ କେଇ ଦିନ ପାଇଁ ବାହାରକୁ ଯାଇ ଘରକୁ ଫେରିବା ବେଳେ ଯେଉଁ ଭାବନା ସୃଷ୍ଟି ହୁଏ, ତାହାକୁ ଉଜ୍ଜିବିତ୍ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରହିଛି । କେତେ ଉନ୍ନତ ସ୍ତରକୁ ଏହି ବିଶ୍ୱ ବିଦ୍ୟାଳୟ ଗତୀ କରିଛି ତାହା ସମୀକ୍ଷା କରିବା ପାଇଁ ପ୍ରକୃତ ସମୟ ଆସିଛି । ଉତ୍କଳ ବିଶ୍ୱବିଦ୍ୟାଳୟର ପୂରାତନ ସ୍ମୃତି ଯେପରିକି ନିଜ ମାଆ କୋଳକୁ ଫେରି ଆସିବା ପରି ଅନୁଭୂତି ସୃଷ୍ଟି ହେବା ତାହାର ପରିକଳ୍ପନା କରି ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷ, ଛାତ୍ରଛାତ୍ରୀ, ପୂର୍ବତନ ଛାତ୍ରଛାତ୍ରୀ ଏବଂ କର୍ମଚାରୀମାନେ ଲାଗି ପଡ଼ିଛନ୍ତି । ଏହି ଉପଲକ୍ଷେ ଏକ ଆଲୁମିନ ମିଟ୍ର ଆୟୋଜନ କରାଯାଇଛି । ସମସ୍ତଙ୍କ ସହଯୋଗ ମିଳିଲେ ଗୋଟିଏ ଦିନରେ ଏହି ପରିସର ମଧ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟ ଆରମ୍ଭରୁ ଏବେଯାଏଁ ଏକାଠି ହୋଇପାରିବ ବୋଲି ଆଶା ପୋଷଣ କରାଯାଇଛି । ଏହି ବିଶ୍ୱ ବିଦ୍ୟାଳୟରୁ ପାଠପଢ଼ି ରାଜ୍ୟ, ଦେଶ ତଥା ବିଦେଶରେ ଅନେକ ବ୍ୟକ୍ତି ବିଶେଷ ସୁନାମ ଅର୍ଜ୍ଜନ କରିଛନ୍ତି । କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟରେ ପାଠପଢ଼ିଥିବା ସମସ୍ତ ପୂରାତନ ଛାତ୍ରଛାତ୍ରୀ ଯୋଗଦେବାକୁ ଅନୁରୋଧ କରାଯାଇଛି ।





