ଭୁବନେଶ୍ୱର, (ବାଘୁଆବାର୍ତ୍ତା); ଆଜି ଗୀତଗୋବିନ୍ଦ ସଦନଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ରାଜ୍ୟସ୍ତରୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସାରସ୍ୱତ ସଭା ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସେ ଏକାଡେମୀ ତରଫରୁ ଏ ଧରଣର କାର୍ଯ୍ୟକ୍ରମ ଆୟୋଜକ କରାଯିବା ଉପରେ ଗୁରୁତ୍ୱାରୋପ କରିବା ସହ ମଧ୍ୟଯୁଗୀୟ ସାରସ୍ୱତ ପ୍ରତିଭାମାନଙ୍କ ଉପରେ ଅଧିକରୁ ଅଧିକ ଅଧ୍ୟୟନ ଓ ଗବେଷଣା ହେବା ଆବଶ୍ୟକ ବୋଲି କହିଥିଲେ । ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ନିକଟରେ ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନ ପାଇଥିବା ବିଶିଷ୍ଟ ବାଗ୍ମୀ ଶ୍ରୀ ରଜତ କୁମାର କରଙ୍କୁ ଏହି ଉପଲବ୍ଧି ନିମନ୍ତେ ସ୍ୱତନ୍ତ୍ର ଭାବେ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏଥି ସହିତ ମଂଚ ମଣ୍ଡନ କରିଥିବା ଅତିଥି ଭାଷାବିତ୍ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଶ୍ରୀ ହରିହର ମିଶ୍ର, ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ କେନ୍ଦ୍ରର ନିର୍ଦ୍ଦେଶକ ଡ. ବସନ୍ତ କୁମାର ପଣ୍ଡା, ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟା ଡ. ଶୁଭଶ୍ରୀ ଲେଙ୍କା, ସାହିତି୍ୟକ ପାର୍ଥସାରଥୀ ଅଜୟ ବାରିକ, ସୁରେଶ ଚନ୍ଦ୍ର ପଣ୍ଡା, ମନମୋହନ ଆଚାର୍ଯ୍ୟ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଭଞ୍ଜ ସଂଗୀତ ଗାନ କରିଥିବା ଶ୍ରୀମତୀ ସଂଗୀତା ପଣ୍ଡା, ଅନିନ୍ଦିତା ଦାସ, ଛନ୍ଦା ମିଶ୍ରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ସେହି କ୍ରମରେ ନିରଞ୍ଜନ ସାହୁ, ଜଗନ୍ନାଥ ଦାସ, ଅଜୟ ଦାସ ଓ ସୌମ୍ୟ ରାଉତଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଲେଖକ ପ୍ରାଧ୍ୟାପକ ଉପେନ୍ଦ୍ର କୁମାର ନାୟକଙ୍କ ‘ନାଟ୍ୟକାର ଆନନ୍ଦ ଶଙ୍କର’, ଡ. ବୈଷ୍ଣବ ଚରଣ ସାମଲଙ୍କ ‘କବି ମୁରାରୀ ମୋହନ ଜେନା: ଏକ ଆଲେଖ୍ୟ’, ଅନୁବାଦକ ଡ. ରାଧାକାନ୍ତ ମିଶ୍ରଙ୍କ ‘କାମାୟନୀ’, ଡ. ମହେଶ୍ୱର ମହାନ୍ତିଙ୍କ ‘ବାଣୀ ବରପୁତ୍ର ପଣ୍ଡିତ ଉପେନ୍ଦ୍ର ତି୍ରପାଠୀ’, ଅନୁବାଦିକା ରଶ୍ମି ଧାୱନଙ୍କ ‘ୟଦାପି ଏକ୍ କାହାନୀ (ହିନ୍ଦୀ)’, ଅନୁବାଦକ ଶ୍ରୀ ବୀରେନ୍ଦ୍ର ମହାନ୍ତିଙ୍କ ‘ସମୁଦ୍ର ଭିତରେ ସାମ୍ରାଜ୍ୟ ଓ ଅନ୍ୟାନ୍ୟ ଗଳ୍ପ’, ଅନୁବାଦକ ଡ. ଶିଶିର ବେହେରାଙ୍କ ‘କାବ୍ୟ ବିଚାର’ର ଲୋକାର୍ପଣ କରାଯାଇଥିଲା । ଏକାଡେମୀର ସଚିବ ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ ଏକାଡେମୀ ଆଭିମୁଖ୍ୟ ସଂପର୍କରେ ସୂଚନା ପ୍ରଦାନ କରିବା ସହ ଉତ୍ସବର ସଫଳତା ଦିଗରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଆଗାମୀ ଦିନରେ ଏହାକୁ ଲୋକାଭିମୁଖୀ କରିବା ଦିଗରେ ବିଭିନ୍ନ ସାରସ୍ୱତ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଭଞ୍ଜୀୟ କାବ୍ୟଧାରାକୁ ଆଧାର କରି ଏପରି ଏକ ସାରସ୍ୱତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏକାଡେମୀ କାର୍ଯ୍ୟକାରୀ ପରିଷଦ ସଦସ୍ୟା ଡକଫର ଶୁଭଶ୍ରୀ ଲେଙ୍କା ଅତିଥି ପରିଚୟ ଦେବା ସହିତ ଉପସଂହାର ପ୍ରଦାନ କରିଥିଲେ । ଅପରାହ@ରେ ଡ. ବସନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଉପେନ୍ଦ୍ର ଭଞ୍ଜଙ୍କ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟାପକ ପାର୍ଥସାରଥି ଅଜୟ ବାରିକ, କବି ମନମୋହନ ଆଚାର୍ଯ୍ୟ ଓ ଡକଫର ସୁରେଶ ଚନ୍ଦ୍ର ପଣ୍ଡା ସମ୍ମାନନୀୟ ଆଲୋଚକ ଭାବେ ଯୋଗଦାନ କରି କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟଶୈଳୀକୁ ଆଧାର କରି ବକ୍ତବ୍ୟ ଉପସ୍ଥାପନ କରିଥିଲେ । ପ୍ରାରମ୍ଭରେ ଶାଶ୍ୱତୀ ସାଂସ୍କୃତିକ ଅନୁଷ୍ଠାନର କଳାକାରମାନେ ଭଞ୍ଜଙ୍କ ରଚିତ ଆବାହନୀ ସଂଗୀତ ପରିବେଷଣ କରିଥିଲେ ।





