ବଲାଙ୍ଗୀର, (ବାଘୁଆବାର୍ତ୍ତା): ବଲାଙ୍ଗିରରେ ପରକିୟା ପ୍ରୀତିକୁ ନେଇ ଏକ ନାଟକୀୟ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ସ୍ତ୍ରୀକୁ ଘରୁ ତଡ଼ିଦେଇ ସ୍ୱାମୀ ନିଜ ପ୍ରେମିକାକୁ ଆଣି ଘରେ ରଖିଥିଲେ । ଏ ସମ୍ପର୍କରେ ପତ୍ନୀ ଖବର ପାଇ ସ୍ୱାମୀଙ୍କ ଘର ସାମ୍ନାରେ ଧାରଣା ଦେଇଛନ୍ତି । ଏହି ଘଟଣାଟି ସ୍ଥାନୀୟ ଆରଟିଓ ଅଫିସ ଛକ ଅଞ୍ଚଳରେ ଘଟିଛି । ସ୍ତ୍ରୀଙ୍କ କହିବା ଅନୁସାରେ, ସେ ଭଲପାଇ ୧୧ ବର୍ଷ ତଳେ ବିବାହ କରିଥିଲେ । ଉଭୟଙ୍କର ୫ବର୍ଷର ଝିଅଟିଏ ରହିଛି । ଏହାରି ଭିତରେ ସ୍ତ୍ରୀର ଜଣେ ସମ୍ପର୍କୀୟ ଭଉଣୀଙ୍କ ସହ ସ୍ୱାମୀଙ୍କ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଯାହାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବର୍ଷେ ହେଲା ବିବାଦ ସୃଷ୍ଟି ହୋଇଥିଲା । ସ୍ତ୍ରୀ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିବା ସହ ମହିଳା ସହାୟକ କେନ୍ଦ୍ର ସାକ୍ଷୀର ମଧ୍ୟ ସାହାଯ୍ୟ ନେଇଥିଲେ । ହେଲେ ସମସ୍ୟାର ସମାଧାନ ହୋଇନଥିଲା । ବରଂ ସ୍ୱାମୀ ତାକୁ ଅଧିକରୁ ଅଧିକ ଅତ୍ୟାଚାର କରୁଥିଲେ । ଶେଷରେ ଝିଅକୁ ରଖି ସ୍ତ୍ରୀକୁ ଘରୁ ତଡିଦେଇଥିଲେ । ସ୍ତ୍ରୀର ଅନୁପସ୍ଥିତିର ସୁଯୋଗ ନେଇ ସ୍ୱାମୀ ନିଜ ପ୍ରେମିକାକୁ ଆଣି ବଲାଙ୍ଗିରରେ ରହୁଥିଲେ । ଉଭୟଙ୍କ ମଧ୍ୟରେ ଡିଭୋର୍ସ ହୋଇନଥିବା ବେଳେ ସେ କିପରି ନିଜ ପ୍ରେମିକାଙ୍କୁ ଆଣି ଘରେ ରଖିଛନ୍ତି ବୋଲି ଏସପିଙ୍କ ନିକଟରେ ଗୁହାରି କରିଥିଲେ । ସନ୍ଧ୍ୟାରେ ସେ ଘରକୁ ଯାଇଥିଲେ ହେଁ କେହି କବାଟ ନଖୋଲିବାରୁ ସ୍ୱାମୀଙ୍କ ଘର ଆଗରେ ଧାରଣା ଦେଇଥିବା ଜଣାପଡିଛି ।






