ଭୁବନେଶ୍ବର, (ବାଘୁଆବାର୍ତ୍ତା): ଜଗତସିଂହପୁର ବାଲିକୁଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ଉମେଶ ଚନ୍ଦ୍ର ସ୍ବାଇଁଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ବିଟ୍ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, “ବାଲିକୁଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଉମେଶ ଚନ୍ଦ୍ର ସ୍ବାଇଁଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଜନପ୍ରତିନିଧି ଭାବେ ତାଙ୍କ ନିଃସ୍ବାର୍ଥପର ସେବା ଓ ଜନ କଲ୍ୟାଣକାରୀ କାର୍ୟ୍ୟ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।” ସୂଚନାଯୋଗ୍ୟ ଯେ, ଜଗତସିଂହପୁର-ବାଲିକୁଦାର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ଉମେଶ ଚନ୍ଦ୍ର ସ୍ବାଇଁଙ୍କର ୮୯ ବର୍ଷ ବୟସରେ ଦେହାନ୍ତ ହୋଇଛି । ଉମେଶ ସ୍ବାଇଁ ବାଲିକୁଦା ନିର୍ବାଚନମଣ୍ଡଳୀରୁ ୪ ଥର ବିଧାୟକ ଭାବେ ଜିତିଥିଲେ । ସେ୧୯୭୭ରୁ ୧୯୮୦, ୧୯୯୦ରୁ ୧୯୯୫, ୨୦୦୦ରୁ ୨୦୦୫ ଓ ୨୦୦୫ରୁ ୨୦୦୯ ପର୍ୟ୍ୟନ୍ତ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ନିଜ କାର୍ୟ୍ୟକାଳ ସମୟରେ ଅନେକ ଉନ୍ନତିମୂଳକ କାର୍ୟ୍ୟ କରି ଲୋକଙ୍କ ଗହଣରେ ବେଶ୍ ପରିଚିତ ହୋଇଥିଲେ । ଜଗତସିଂହପୁର ମାଛଗାଁ ଠାରେ ଜନ୍ମ ଗ୍ରହଣ କରିଥିବା ଉମେଶ ସ୍ବାଇଁ ସାରା ଜିଲ୍ଲାରେ ଜଣେ ବେଶ୍ ଲୋକପ୍ରିୟ ରାଜନେତା ଭାବରେ ପରିଚିତ ଥିଲେ । ତାଙ୍କର ବିୟୋଗରେ ସାରା ଜଗତସିଂହପୁର ଜିଲ୍ଲାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।






