ଭୁବନେଶ୍ୱର, (ବାଘୁଆବାର୍ତ୍ତା): ୫୦ ପ୍ରତିଶତ ନୁହେଁ । ଡିଗ୍ରୀ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟକୁ ଆସିବେ ସମସ୍ତ ଅଧ୍ୟାପକ ଓ କର୍ମଚାରୀ । ସକାଳ ୧୦ଟା ୩୦ ସୁଦ୍ଧା ସମସ୍ତ ବିଭାଗ ଖୋଲିବ । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଛି ଏଭଳି ନିର୍ଦ୍ଦେଶ । ବିଶେଷ କରି ଜୁଲାଇ ଓ ଅଗଷ୍ଟ ମାସରେ ସ୍ନାତକ (ୟୁଜି) ଓ ସ୍ନାତକୋତ୍ତର (ପିଜି)ର ଶେଷ ବର୍ଷ ଶେଷ ସେମିଷ୍ଟର୍ ପରୀକ୍ଷା ଥିବାରୁ ସମସ୍ତ ଅଧ୍ୟାପକମାନେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଆସିବା ଆବଶ୍ୟକ ବୋଲି ବିଭାଗ ଯୁକ୍ତି ଦର୍ଶାଇଛି । ସେହିପରି ପ୍ରଶ୍ନ ପ୍ରସ୍ତୁତ କରିବାଠୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଅଣଶିକ୍ଷକ କର୍ମଚାରୀମାନଙ୍କର ଉପସ୍ଥିତି ଆବଶ୍ୟକ ଥିବାରୁ ସେମାନଙ୍କୁ ମଧ୍ୟ ଆସିବାକୁ କୁହାଯାଇଛି । ଯେମିତି ହେଉ ସେପ୍ଟେମ୍ବର ଶେଷ ସୁଦ୍ଧା ଫଳ ପ୍ରକାଶ କରି ବିଭାଗ ଶିକ୍ଷାବର୍ଷର କ୍ୟାଲେଣ୍ଡର୍ ବଜାୟ ରଖିବାକୁ ଚେଷ୍ଟା ଜାରି ରଖିଛି । ବିଭାଗର ଏଭଳି ନିର୍ଦ୍ଦେଶ ପାଇବା ପରେ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ସମସ୍ତ ଅଧ୍ୟାପକ ଓ ଅଣଶିକ୍ଷକ କର୍ମଚାରୀଙ୍କୁ ଆସିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କ ନିର୍ଦ୍ଦେଶ ପରେ ପିଜି କାଉନସିଲ୍ ଅଧ୍ୟକ୍ଷା ଡ. ସସ୍ମିତା ମହାନ୍ତି ଏନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ସମସ୍ତ କାର୍ୟ୍ୟ ଦିବସଗୁଡ଼ିକରେ ସକାଳ ୧୦ଟା ୩୦ ସୁଦ୍ଧା କିଭଳି ବିଭାଗ ଖୋଲିବ, ସେ ନେଇ ପଦକ୍ଷେପ ନେବାକୁ ବିଭାଗୀୟ ମୁଖ୍ୟ ଓ ସଂଯୋଜକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟରେ ଶୁକ୍ରାବାର ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ରାଜ୍ୟ ସରକାରଙ୍କ ଏଭଳି ନିର୍ଦ୍ଦେଶ ପାଇବା ପରେ କିଛି ଅଧ୍ୟାପକ ଓ କର୍ମଚାରୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।






