ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ନୋତରସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ସିବିଏସି ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୮୯.୮ ମାର୍କ ରଖି ନୋତର ଆଦର୍ଶ ବିଦ୍ୟାଳୟର ଟପ୍ପର ହୋଇଛନ୍ତି ଉଦିତାଶୁଂ ମିଶ୍ର । ସେ ନୟାଗଡ଼ ପୁରୁଣା ସହରର ବାସିନ୍ଦା । ଉଦିତାଶୁଂ ହେଉଛନ୍ତି ପୁରୁଣା ସହରର ଶୁଧାଂଶୁ ଶେଖର ମିଶ୍ର ଓ ଶୈଳବାଳା ଦାସଙ୍କ ସୁପୁତ୍ର । ଆଜି ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ନୋତର ଆଦର୍ଶ ବିଦ୍ୟାଳୟର ୪ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଏଥିସହିତ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋତ୍ସ୍ନାରାଣୀ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉପଲକ୍ଷେ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ ଓଡିଶା ଆଦର୍ଶ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଧ୍ୟକ୍ଷାଙ୍କୁ ସାଧୁବାଦ ଜଣାଇଥିଲେ । ଗତ ୨୧-୨୨ ବର୍ଷରେ ନୋତର ଆଦର୍ଶ ବିଦ୍ୟାଳୟ ରାଜ୍ୟ ସ୍ତରରେ ଭଲ ପରଫର୍ମାନ୍ସ କରି ନୟାଗଡ଼ ନାମକୁ ରାଜ୍ୟ ସ୍ତରରେ ନାମ କମାଇଥିଲା । ଆଗାମୀ ଦିନରେ ଏହି ବଜାୟ କିପରି ଜାରି ରହିବ ଜିଲ୍ଲାପାଳ ସେଥିପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଆଜିର କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବାଷ ଚନ୍ଦ୍ର ରାୟ, ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋତ୍ସ୍ନାରାଣୀ ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ଅକ୍ରୁର ବାରିକ, ବ୍ଲକ ଶିକ୍ଷା ଅଧିକାରୀ ଗିତାଞ୍ଜଳୀ ସାହୁ ଓ ସାଇନ୍ସ ସୁପରଭାଇଜର ମାନସ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ପ୍ରମୁଖ ଯୋଗ ଦେଇଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ଉଦିତାଶୁଂ ଭବିଶ୍ୟତରେ ଜଣେ ଫିଜିକ୍ସ ପ୍ରଫେସର ହେବେ ବୋଲି ଆଶା ରଖିଛନ୍ତି ।





