ନୟାଗଡ଼, (ବାଘୁଆବାର୍ତ୍ତା): ନୃଶଂସ ସାଜିଲେ ସ୍ୱାମୀ ଏବଂ ପୁଅ । ସାମାନ୍ୟ ପାରିବାରିକ କଳହକୁ କେନ୍ଦ୍ର କରି ଅତି ନିର୍ଦ୍ଦୟ ଭାବେ ସ୍ତ୍ରୀକୁ ପିଟି ପିଟି ହତ୍ୟା କଲେ ସ୍ୱାମୀ ଓ ପୁଅ । ହତ୍ୟାକାଣ୍ଡ ଭିଆଇବା ପରେ ସ୍ୱାମୀ ଏବଂ ପୁଅ ଫେରାର । ଏଭଳି ଘଟଣା ଘଟିଛି ଉଦଳା ଥାନା ଦିଘି ନୂଆସାହି ଗ୍ରାମରେ । ସୂଚନାନୁସାରେ, ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ଟଙ୍କା ନେଣଦେଣକୁ ନେଇ କଥା କଟାକଟି ହେବା ପରେ ଅତି ନର୍ଦ୍ଦୟ ଭାବେ ସ୍ତ୍ରୀକୁ ବାଡେଇ ବାଡେଇ ହତ୍ୟା କଲେ ସ୍ୱାମୀ ଏବଂ ପୁଅ । ଉଦଳା ଥାନା ଦିଘିନୂଆସାହି ଗ୍ରାମର ଚନ୍ଦ୍ରକାନ୍ତି ବେହେରା ରବିବାର ରାତିରେ ଘରେ ଥିବାବେଳେ କିଛି ଟଙ୍କା ନେଣଦେଣକୁ ନେଇ ତାଙ୍କ ସ୍ୱାମୀ ଛତିଶ ବେହେରାଙ୍କ ସହିତ କଥା କଟାକଟି ହୋଇଥିଲା । କଥା କଟାକଟି ହେବା ପରେ ସ୍ୱାମୀ ଛତିଶ ବେହେରା ଏବଂ ପୁଅ କାର୍ତ୍ତିକ ବେହେରା ଅତି ନିର୍ଦ୍ଦୟ ଭାବେ ଚନ୍ଦ୍ରକାନ୍ତିଙ୍କୁ ପିଟି ପିଟି ଗୁରୁତର କରିଥିଲେ । ପରେ ତାଙ୍କ ପାଟିରେ ବିଷ ଦେଇଥିଲେ । ଫଳରେ ସେ ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ପରେ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଥିଲା । ହେଲେ ବାରିପଦାରେ ଚନ୍ଦ୍ରକାନ୍ତିଙ୍କର ମୃତ୍ୟୁ ହୋଇଛି । ଏହାକୁ ନେଇ ଚନ୍ଦ୍ରକାନ୍ତିଙ୍କ ଭାଇ ତାଙ୍କ ଭଉଣୀଙ୍କୁ ହତ୍ୟା କରାଯାଇଥିବାର ଲିଖିତ ଅଭିଯୋଗ କରିଛି । ଅନ୍ୟପଟେ ଘଟଣା ଭିଆଇବା ପରେ ଉଭୟ ସ୍ୱାମୀ ଏବଂ ପୁଅ ଫେରାର ହୋଇଯାଇଥିବା ଜଣାପଡ଼ିଛି । ତେବେ ପିଟି ପିଟି ହତ୍ୟା କରିବା ଘଟଣାକୁ ଚନ୍ଦ୍ରକାନ୍ତିଙ୍କ ଶ୍ୱଶୁର ଅସ୍ୱୀକାର କରିଛନ୍ତି । ଉଦଳା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।





