ଉଦଳା, (ବାଘୁଆବାର୍ତ୍ତା): ନିଜେ କରିଥିଲେ ଡାକ୍ତରଖାନାରେ ଚାକିରି । ଆଉ ସେହି ଡାକ୍ତରଖାନାରେ ଅନ୍ୟ ପଦବୀରେ ଚାକିରି ଦେବାକୁ କହି ଦୀର୍ଘ ୪ ବର୍ଷରୁ ଅଧିକ ହେବ ଲୋକଙ୍କ ନିକଟରୁ ଲକ୍ଷ ଲକ୍ଷ ଟଙ୍କା ନେଇ ଠକି ଆସୁଥିଲେ । ହେଲେ ଚାକିରି ଦେବା ଦୂରର କଥା ଫେରାର ହୋଇଯାଇଥିଲେ ୪୨୦ ଯୁବକ । ଆଉ ଶେଷରେ ଗୁରୁବାର ନିଜ ଘରକୁ ଆସିଥିବା ବେଳେ ଧରା ପଡିଲେ ଲୋକଙ୍କ ହାବୁଡ଼ରେ । ଉଦଳା ଥାନା ଏନଏସି ୪ ନମ୍ବର ୱାର୍ଡର ଯୁବକ ରଜତ କୁମାର ପାତ୍ର ପୂର୍ବରୁ ଉଦଳା ଡାକ୍ତରଖାନାରେ ସୁପରଭାଇଜର ଭାବେ କାର୍ୟ୍ୟ କରୁଥିଲେ । ଆଜକୁ ୩ ବର୍ଷ ହେବ ସେ ଚାକିରିରୁ ବିଦା ହୋଇ ସାରିଲେଣି । ହେଲେ ଚାକିରିରେ ଥିବା ସମୟରୁ ଆଜି ପର୍ୟ୍ୟନ୍ତ ଦୀର୍ଘ ୫ ବର୍ଷ ହେବ ଅନେକ ଲୋକଙ୍କୁ ଉଦଳା ଡାକ୍ତରଖାନାରେ ଚାକିରି କରାଇ ଦେବେ କହି ତାଙ୍କ ନିକଟରୁ ଲକ୍ଷ ଲକ୍ଷ ଟଙ୍କା ନେଇଛନ୍ତି । ସୁଇପର, ଆଟେଣ୍ଡାଣ୍ଟ ଭଳି ବିଭିନ୍ନ ପଦବୀରେ ଚାକିରି କରାଇଦେବେ କହି ଟଙ୍କା ନେଇ ଆସୁଥିଲେ । ଚାକିରି ନ ଦେବାରୁ ଟଙ୍କା ଦେଇଥିବା ଲୋକେ ରଜତ ପାତ୍ରଙ୍କୁ ପଚାରିବା ଏବଂ ଥାନାରେ ଏତଲା ଦେବାରୁ ସେ ଅନେକଙ୍କୁ ଟଙ୍କା ଦେବା ପାଇଁ ମିଛ ଚେକ ମଧ୍ୟ ଦେଇଛନ୍ତି । ପ୍ରାୟ ୩୦ରୁ ଅଧିକ ଲୋକଙ୍କ ନିକଟରୁ ଚାଳିଶ ଲକ୍ଷରୁ ଅଧିକ ଟଙ୍କା ଲୁଟିନେଇ ଫେରାର ହୋଇଯାଇଥିଲେ ରଜତ ପାତ୍ର । ଟଙ୍କା ଦେଇ ଚାକିରି ପାଇ ନଥିବା ଲୋକେ ଅନେକ ଦିନ ଖୋଜାଖୋଜି କରୁଥିଲେ ସୁଦ୍ଧା ତାଙ୍କର ପତ୍ତା ପାଉ ନଥିଲେ । ହେଲେ ଗୁରୁବାର ୪୨୦ ରଜତ ପାତ୍ର ନିଜ ଘରକୁ ଆସିଥିବା ବେଳେ ଲୋକେ ଜାଣିପାରି ତାଙ୍କ ଘରେ ପହଞ୍ଚି ତାଙ୍କୁ ଅଟକାଇବା ସହିତ ପୋଲିସକୁ ହସ୍ତାନ୍ତର କରିଛନ୍ତି । ଏହା ସହିତ ଠକାମୀର ଶିକାର ଲୋକେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଠକ ରଜତ ପାତ୍ର କେବଳ ଉଦଳା ନୁହେଁ କପ୍ତିପଦା ଡାକ୍ତରଖାନାରେ ନିଜ ସ୍ତ୍ରୀ ଚାକିରି କରିଥିବା ବେଳେ ଏହାର ଫାଇଦା ନେଇ ମଧ୍ୟ ସେ କପ୍ତିପଦାର ଅନେକ ଲୋକଙ୍କୁ ଠକିଛନ୍ତି ।





