କଟକ, (ବାଘୁଆବାର୍ତ୍ତା): ମା’ କେଉଁଆଡେ ଛାଡି ପଳାଇଛି । ବାପାଙ୍କ ଦୁଇ ହାତ ଧରି ମା’ଙ୍କୁ ଖୋଜି ଖୋଜି କଟକ ରେଳଷ୍ଟେସନ ନିକଟରେ ବୁଲୁଥିବା ଦୁଇଜଣ ଶିଶୁଙ୍କୁ ଗତକାଲି(ଶୁକ୍ରବାର) ଉଦ୍ଧାର କରିଛି ଚାଇଲ୍ଡ ଲାଇନ । ଦଶହରା ପାଇଁ ଗାଁ ଠୁ ସହର ଉତ୍ସବମୁଖର ଥିବା ବେଳେ ଏହି ଭାଇ ଭଉଣୀଙ୍କ କାହାଣୀ ଅତ୍ୟନ୍ତ କରୁଣ । ଯାଜପୁର ରୋଡ୍ ଷ୍ଟେସନ । ଗତ ବୁଧବାରର ଘଟଣା । ଶାଗୁଆନ ଗଛରୁ ଝଡି ପଡିଥିବା ଶୁଖିଲା ପତ୍ର ଉପରେ କଞ୍ଚା ଚୁଡା କୁଢା ଯାଇଥାଏ । ପତ୍ରରେ ସବୁଯାକ ଚୁଡା ଜାଗା ନ ହୋଇ ତଳେ ବି ପଡିଥାଏ । ସେହି ଚୁଡାକୁ ଖାଉଥାନ୍ତି ଦୁଇ ଶିଶୁ । ଶିଶୁ ଦ୍ୱୟଙ୍କ ବୟସ ଯଥାକ୍ରମେ ୪ ଓ ୨ ହେବ । ବଡ଼ଟି ପୁଅ ହୋଇଥିବା ବେଳେ ସାନଟି ଝିଅ । ଏଭଳି ଦୃଶ୍ୟ ଦେଖିଥିଲେ ହାଇକୋର୍ଟ ଆଡଭୋକେଟ ସୁବାସ ଚନ୍ଦ୍ର ପ୍ରଧାନ । ତୁରନ୍ତ ସେ ପିଲା ଦ୍ୱୟଙ୍କ ପାଖକୁ ଯାଇ ବୁଝିବାରୁ ପିଲାଙ୍କ ବାପା ପାଖକୁ ଆସିଥିଲେ । ବାପା କହିଥିଲେ ଯେ, ଏହି ଦୁଇ ପିଲାଙ୍କ ମା’ ସେମାନଙ୍କୁ ଛାଡି କେଉଁଆଡେ ପଳାଇଛି । ମା’ଙ୍କୁ ଖୋଜି ଖୋଜି ପିଲା ଦୁଇଟି ଅଥୟ ହୋଇ କନ୍ଦାକଟା କରିବାରୁ ସେ ତାଙ୍କୁ ଖୋଜି ବୁଲୁଛନ୍ତି । ଏହାପରେ ଆଡଭୋକେଟ ପ୍ରଧାନ ସମ୍ପୃକ୍ତ ପିଲାଦ୍ୱୟଙ୍କ ବାପାଙ୍କୁ ପଚରାଉଚରା କରିବାରୁ ଜଣାପଡିଥିଲା କି, ସେମାନଙ୍କ ଘର କେନ୍ଦୁଝର ହରିଚନ୍ଦନପୁର ଅଞ୍ଚଳରେ । ଜଗତପୁରରେ ରହି ସେମାନେ କାମ ଧନ୍ଦା କରନ୍ତି । କୌଣସି କାରଣରୁ କିଛି ଦିନ ହେବ ପିଲାଙ୍କ ମା’ ପଳାଇ ଯାଇଥିଲେ । ଏହାପରେ ଏତେ ଛୋଟ ପିଲାଙ୍କୁ ଛାଡି ନା ବାପା କାମ ଧନ୍ଦା କରିପାରୁଛନ୍ତି ନା ସ୍ତ୍ରୀକୁ ଖୋଜି ପାରୁଛନ୍ତି । ଏହା ଶୁଣିବା ପରେ ଆଡଭୋକେଟ ପ୍ରଧାନ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପରାମର୍ଶ ଦେଇଥିଲେ କଟକ ଆସିବା ପାଇଁ । ସେ ଦୁଇଛୁଆଙ୍କୁ ଧରି କଟକରେ ପହଞ୍ଚିବା ପରେ ଆଡଭୋକେଟ ପ୍ରଧାନ ଚାଇଲ୍ଡଲାଇନ୍କୁ ଫୋନ୍ କରିଥିଲେ । ଚାଇଲ୍ଡଲାଇନ୍ କର୍ମକର୍ତ୍ତା ସରୋଜ ପଟ୍ଟନାୟକ କଟକ ରେଳଷ୍ଟେସନ ନିକଟରେ ପହଞ୍ଚି ପିଲା ଦ୍ୱୟଙ୍କୁ ଉଦ୍ଧାର କରି ବସୁନ୍ଧରାକୁ ନେଇଥିଲେ । ଆଜି ଏହି ପିଲା ଦୁଇ ଜଣଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟି ନିକଟରେ ଉପସ୍ଥାପନ କରାଯାଇଥିଲା । ମା’ ମିଳିବା ପରେ ସେ ତାଙ୍କ ପିଲାଙ୍କୁ ଏଠାରୁ ନେଇଯିବେ ବୋଲି ବାପା ଶିଶୁ ମଙ୍ଗଳ କମିଟି ଆଗରେ କହିଛନ୍ତି । ତେବେ ବସୁନ୍ଧରା ପରିସରରେ ଏହି ଭାଇ ଭଉଣୀଙ୍କ ପରସ୍ପର ପ୍ରତି ଥିବା ଅନାବିଳ ସ୍ନେହ ମମତା ଆହୁରି କରୁଣ ପରିବେଶ ସୃଷ୍ଟି କରିଛି । କେହି କାହାକୁ ଦଣ୍ଡେ ଛାଡୁନାହାନ୍ତି । ୪ ବର୍ଷର ଭାଇ ଭଉଣୀ ହାତକୁ ଜାବୁଡି ଧରି ବୁଲୁଛି । ଖାଇବାକୁ ଡାକିଲେ ଉଭୟ ଏକା ସାଙ୍ଗରେ ଖାଉଛନ୍ତି । ବେଳେ ବେଳେ ଉଭୟ ମା’ ଓ ବାପାଙ୍କୁ ଖୋଜୁଥିବା ଦେଖାଯାଇଛି ।






