ଜଳେଶ୍ଵର, (ବାଘୁଆବାର୍ତ୍ତା): ଏବେବି ଅଲୋଡ଼ା ଶିଶୁ କନ୍ୟା। କନ୍ୟା ସନ୍ତାନମାନଙ୍କ ସୁରକ୍ଷା ପାଇଁ ସରକାର ବିଭିନ୍ନ ସୁବିଧା ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଏ ଶିକ୍ଷିତ ସମାଜରେ ଏବେବି ଅଲୋଡ଼ା ଶିଶୁକନ୍ୟା। ଦୁଇଟି କନ୍ୟା ସନ୍ତାନକୁ ଜନ୍ମ ଦେଇଛି ବୋଲି ଶାଶୁ ଘର ଲୋକଙ୍କ ମାଡ଼ରେ ଲହୁ ଲୁହାଣ ମହିଳା। ଏଭଳି ଘଟଣା ଘଟିଛି ବସ୍ତା ଥାନା ଅମର୍ଦ୍ଦା ରୋଡ ଫାଣ୍ଡି ଚାରିଗାଁରେ। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଚାରିଗାଁ ଗ୍ରାମର ଜମିର ଖାନ୍ ବସ୍ତା ଥାନା ବିଦ୍ୟାଧରପୁର ବସ୍ତିରୁ ମୁର୍ଶିଦା ବିବିଙ୍କୁ ବିବାହ କରିଥିଲେ। ବିବାହର ଏକ ବର୍ଷ ପରେ ମୁର୍ଷିଦା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଏଥିପାଇଁ ତାଙ୍କର ସ୍ଵାମୀ ଓ ଶାଶୁଘର ଲୋକ ତାଙ୍କୁ ବାରମ୍ବାର ଶାରୀରିକ ଓ ମାନସିକ ନିର୍ୟାତନା ଦେଇଆସୁଥିଲେ। ଏପରିକି ଅଧିକ ଯୌତୁକ ଆଣିବାକୁ ମଧ୍ୟ ବାଧ୍ୟ କରୁଥଲେ ଶାଶୁ ଘର ଲୋକ। ଏମିତି ତିନି ବର୍ଷ ଅତିକ୍ରମ ପରେ ମୂର୍ଷୀଦା ପୁଣି ଏକ କନ୍ୟା ସନ୍ତାନର ଜନନୀ ହୋଇଥିଲେ। ଏହା ପରେ ଶାଶୁ ଘର ଲୋକଙ୍କ ଆହୁରି ବଢି ଚାଲିଲା ଶାରୀରିକ ଓ ମାନସିକ ଅତ୍ୟାଚାର। ସ୍ଵାମୀ ୪ ବର୍ଷ ଧରି ବାହାର ରାଜ୍ୟକୁ ଯାଇ ଆଉ ଘରକୁ ଫେରୁନଥିବା ବେଳେ ଶାଶୁ, ଶ୍ଵଶୁର, ନଣନ୍ଦ, ଦିଅରଙ୍କ ଆକ୍ରୋଶର ଶିକାର ହେଉଛନ୍ତି ମୁର୍ଶିଦା । ମୁର୍ଷିଦାଙ୍କୁ ମାଡ଼ ଗାଳି ସହିତ ନିଆଁ ଲଗାଇ ପୋଡି ଦେବାକୁ ମଧ୍ୟ ଚେଷ୍ଟା କରିଥିଲେ ପରିବାର ଲୋକେ। ଫଳରେ ଅତ୍ୟାଚାର ଆଉ ସହି ନପାରି ବାପ ଘର ଲୋକଙ୍କ ସହାୟତାରେ ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୁର୍ଷିଦା। ପୋଲିସ ଉକ୍ତ ଅଭିଯୋଗ ଆଧାରରେ ୨୦୫/୨୧ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।





