ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ପାଣିପୋଇଲାଠାରେ ବନ୍ଦ ପଡ଼ିଥିବା ଚିନିଶିଳ୍ପରୁ ବାରମ୍ବାର ଚୋରୀ ହେଉଛି । ଚିନିଶିଳ୍ପର ୯୦ ପ୍ରତିଶତ ଯନ୍ତ୍ରାଂଶ ଏବଂ ଲୁହା ସାମଗ୍ରୀକୁ ଗ୍ୟାସ କଟର ମାଧ୍ୟମରେ କାଟି ଲୁଟ କରାଯାଉଛି । ଗତକାଲି ରାତିରେ ନୟାଗଡ଼ ସଦରଥାନା ପୁଲିସ ଚଢ଼ାଉ କରି ୨ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଇଟାମାଟି ଥାନା ଶରଧାପୁର ଗାଁର ଗଙ୍ଗାଧର ନାୟକ ଏବଂ ସଦରଥାନା ଖେଡ଼ପଡ଼ା ଗ୍ରାମର ଅଭିମନ୍ୟୁ କହଁର । ଚିନିଶିଳ୍ପରୁ ଏମାନେ ଦୀର୍ଘଦିନ ଧରି ଗ୍ୟାସ କଟର ମାଧ୍ୟମରେ ଲୁହା କାଟି ଗାଡ଼ି ଲଗାଇ କବାଡ଼ିଆରେ ବିକ୍ରି କରୁଥିଲେ । ଗତକାଲି ରାତିରେ ପୁଲିସ ବିଶେଷ ସୁତ୍ରରୁ ଖବରପାଇବା ପରେ ସଦରଥାନା ଅଧିକାରୀ ବିଜୟା ସାହୁଙ୍କ ନିର୍ଦ୍ଦେଶରେ ପୁଲିସ ଟିମ୍ ଚଢ଼ାଉ କରିଥିଲା । ଏହି ଚଢ଼ାଉ ବେଳେ ପୁଲିସ ଲୁହା ବୋଝେଇ ଟାଟା ଏସି ଗାଡ଼ି, ଗ୍ୟାସ କଟର ଏବଂ ଅନ୍ୟାନ ଯନ୍ତ୍ରାଂଶ ଜବତ କରିଛି । ଏହା ସହିତ ଅଭିଯୁକ୍ତ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସଦରଥାନା ଏସଆଇ ଧର୍ମେନ୍ଦ୍ର ଶିଆଳ ସୂଚନା ଦେଇଛନ୍ତି ।