ଭଦ୍ରକ (ବାଘୁଆବାର୍ତ୍ତା): ଭଦ୍ରକ ଜିଲ୍ଲାରେ ପୁଣି ସକ୍ରିୟ ହେଲେଣି କୋଇଲା ମାଫିଆ । ପୁରୁଣା ଚେର ପୁଣି ଲମ୍ବିବାକୁ ଲାଗିଲାଣି । ଏବେ ଖୁଲମ ଖୁଲା ଚାଲାଣ ହେଉଛି ଚୋରା କୋଇଲା । ଏପଟେ ପୋଲିସର ଇଙ୍ଗିତରେ ପୁଣି କୋଇଲା ବେପାର ଆରମ୍ଭ ହୋଇଛି ବୋଲି ଚର୍ଚ୍ଚା ଚାଲିଥିବା ବେଳେ ଏହି ମାଫିଆମାନେ ଦିନବେଳା କୋଇଲା ଚାଲାଣ କରୁଥିବା ଖବର ପାଇ ଚୋରା କୋଇଲା ଚାଲାଣ ହେଉଥିବା ଗାଡିକୁ ଜବତ କରିଛି ଏସଟିଏଫ । ସୂଚନାଯୋଗ୍ୟ ଯେ, ଭଦ୍ରକ ଧୂଷୁରୀ ଥାନା ପୋଲିସ ଏକ ଟ୍ରକକୁ ଥାନାରେ ଅଟକ ରଖିଛି ଦଶ ଚକିଆ ଟ୍ରକରେ ଚୋରା କୋଇଲା ବୋଝେଇ ହୋଇ ତିହିଡି ଅଞ୍ଚଳରୁ ଧାମନଗର ଓ ଯାଜପୁରକୁ ଚାଲାଣ ହେଉଥିବା ବେଳେ ଧରାପଡିଛି । ଅସୁରାଳି ବଜାର ପାଖରେ ଛିଡା ହୋଇଥିବା ବେଳେ ପୋଲିସ ଏହି ଗାଡ଼ିରେ ଥିବା ପ୍ରାୟ ୬୦୦ ଶହ ବସ୍ତା କୋଇଲା ବ୍ୟାଗ୍ ଯାହାର ଓଜନ ୩୦ ଟନ୍ ହେବ ଜବତ କରିଛି । ଗାଡିର ଡ୍ରାଇଭର ଓ ହେଲପର ଉଭୟଙ୍କୁ ଅଟକ ରଖିଥିବା ବେଳେ ଚୋରା କୋଇଲା ଚାଲାଣର ମୁଖ୍ୟ ଅଭିଯୁକ୍ତ ବାୟାକୁ ମଧ୍ୟ ଅଟକ ରଖିଥିବା ସୂଚନା ମିଳିଛି । ଅଟକ ରହିଥିବା ଡ୍ରାଇଭର ସନୋଜ ସାହା ଓ ହେଲପର ମକେଶ ଯାଦବ ବିହାର ରାଜ୍ୟର ହୋଇଥିବା ବେଳେ ଚୋରା କୋଇଲା ଚାଲାଣର ମୁଖ୍ୟ ତିହିଡି ଥାନା ହାଟୁଆରି ଗ୍ରାମର ଭଗବାନ ଦାସ ଓରଫ ବାୟାକୁ ମଧ୍ୟ ପଚରାଉଚରା କରୁଛି ଧୂଷୁରୀ ପୋଲିସ । ବାୟା ନାଁରେ ଭଦ୍ରକ ଜିଲ୍ଲା ସମେତ କେନ୍ଦ୍ରପଡା, ଯାଜପୁର ଆଦି ଥାନାରେ ବହୁ ମାମଲା ରହିଛି ।





