ପୁରୀ,(ବାଘୁଆବାର୍ତ୍ତା): ପୁରୀରୁ କୋଣାର୍କକୁ ରେଳପଥ ସଂଯୋଗ ବାଟ ଫିଟିଛି। ଅଗଷ୍ଟରେ ପୂର୍ବତଟ ରେଳପଥ ପୁରୀ-କୋଣାର୍କ ରେଳପଥର ଚୂଡ଼ାନ୍ତ ସର୍ଭେ ରିପୋର୍ଟ ରେଲ୍ୱେ ବୋର୍ଡକୁ ପ୍ରଦାନ କରିଛନ୍ତି। ପୂର୍ବରୁ ସିଆର୍ଜେଡ୍କୁ ନେଇ ସମସ୍ୟା ଦେଖା ଦେଇଥିଲା। ବନ ବିଭାଗ ଏ ନେଇ ଆପତ୍ତି ଉଠାଇଥିଲା। ଏବେ ନୂଆ ଓ ବିକଳ୍ପ ରାସ୍ତା ଖୋଜାଯାଇଛି, ଯାହା ସିଆର୍ଜେଡ୍ରେ ଆସୁନି। ଏହି ଚୂଡ଼ାନ୍ତ ରିପୋର୍ଟ ରେଲ୍ୱେ ବୋର୍ଡକୁ ପ୍ରଦାନ କରାଯାଇଥିବା ପୂର୍ବତଟ ରେଳପଥ ସ୍ପଷ୍ଟ କରିଛି। ଫଳରେ ଦୁଇଦଶନ୍ଧି ଧରି ପୁରୀ-କୋଣାର୍କ ରେଳପଥ ସଂଯୋଗ ନେଇ ରାଜ୍ୟବାସୀ ଯେଉଁ ସ୍ବପ୍ନ ଦେଖୁଥିଲେ, ତାହା ସାକାର ହେବାକୁ ଯାଉଛି। ଏହାଦ୍ବାରା କେବଳ କୋଣାର୍କକୁ ପର୍ଯ୍ୟଟକଙ୍କ ଆଗମନ ସଂଖ୍ୟା ବଢ଼ିବନି, ଏଠାର ଆର୍ଥିକ ସ୍ଥିତି ବି ଆହୁରି ସୁଦୃଢ଼ ହେବ ବୋଲି ବୁଦ୍ଧିଜୀବୀ ଓ ସ୍ଥାନୀୟ ବାସିନ୍ଦା ମତ ଦେଇଛନ୍ତି।






