ଦଶପଲ୍ଲା, (ବାଘୁଆବାର୍ତ୍ତା): ଐତିହାସିକ ତଥା ପ୍ରସିଦ୍ଧ ଦଶପଲ୍ଲା ଲଙ୍କାପୋଡ଼ି ଯାତ୍ରାର ମୁଖ୍ୟ ଆକର୍ଷଣ “ରାବଣ ବଧ ” ପାରମ୍ପରିକ ରୀତି ନୀତି ଓ ପରମ୍ପରା ଅନୁଯାୟୀ ମଙ୍ଗଳ ରାତି – ବୁଧ ପାହାନ୍ତି ଆଧାରରେ ଆସନ୍ତା କାଲି ଅର୍ଥାତ୍ ମଙ୍ଗଳବାର ଦିନ ଅନୁଷ୍ଠିତ ହେବ l ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୁଡାନ୍ତ ହୋଇଛି l ଯାତ୍ରା କମିଟି ଓ ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳାର ସହ ଯାତ୍ରା ସମାପନ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି l ମହାବୀର କ୍ଷେତ୍ର ଏଥିପାଇଁ ଉନ୍ନତ ଆଲୋକ ମାଳା ଓ ତୋରଣର ଝଲସୁଛି l ୩୫ ଫୁଟ ଉଚ୍ଚତା ବିଶିଷ୍ଟ କାଷ୍ଠ ନିର୍ମିତ ଚଳନକ୍ଷମ ରାବଣ, ପୁଷ୍ପକ ବିମାନ ସହିତ ସୁସଜ୍ଜିତ ଶୋଭାଯାତ୍ରା ଗାନ୍ଧୀ ମଇଦାନ ପର୍ଯ୍ୟନ୍ତ ଯୁଦ୍ଧ ବାଦ୍ୟର ତାଳେତାଳେ ଆସିବାର ସମସ୍ତ ବ୍ୟବସ୍ଥା କରାଯାଇଛି l ମହାବୀର କ୍ଷେତ୍ରର ବହୁବିଧ ସାଜସଜ୍ଜା ଦେଖିଲେ ମନେହେଉଛି ସତେଯେପରି ନବବଧୂ ବେଶରେ ସଜେଇ ହୋଇଛି। ଇତିମଧ୍ୟରେ ଯାତ୍ରା ଓ ସ୍ଥାୟୀ -ଅସ୍ଥାୟୀ ଦୋକାନ ବଜାର ସାଙ୍ଗକୁ ବହୁବିଧ ମନୋରଞ୍ଜନ କାର୍ଯ୍ୟକ୍ରମର ମଜା ଉଠାଇବା ପାଇଁ ଦଶପଲ୍ଲାକୁ ବିଭିନ୍ନ ପ୍ରାନ୍ତରୁ ପ୍ରବାସୀଙ୍କ ସୁଅ ଛୁଟିଛି l ସନ୍ଧ୍ଯାରୁ ରାତି ତମାମ ବହୁବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ଯ ଅନୁଷ୍ଠିତ ହେବ ବୋଲି ଜଣାପଡିଛି।





