ନୟାଗଡ଼,(ବାଘୁଆବାର୍ତ୍ତା ବ୍ୟୁରୋ): ଟିକ୍ଟକ୍ ମାୟାରେ ଯୁବପିଢୀ ଏବେ ବାୟା । ଅନେକ ଜୀବନ ଏହି ଟିକ୍ଟକ୍ ଦ୍ୱାରା ଯାଇଥିଲେ ମଧ୍ୟ ଯୁବପିଢୀ ସଜାଗ ହେଉନାହାନ୍ତି । ନୟାଗଡ଼ ସହର ନିକଟସ୍ଥ ସରସ୍ୱତୀ ଶିଶୁମନ୍ଦିର ନିକଟରେ ରହୁଥିବା ଆନନ୍ଦଚନ୍ଦ୍ର ସାହୁଙ୍କ ଦଶମ ଶ୍ରେଣୀରେ ପଢୁଥିବା ପୁଅ ପ୍ରେମାନନ୍ଦଙ୍କର କିପରି ଜୀବନ ଗଲା ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ । ଯାହାକୁ ନେଇ ନୟାଗଡ଼ ସହର ପଡୁଛି ଉଠୁଛି । ପ୍ରେମାନନ୍ଦ ନିଜ ଘରୁ ବାହାରିଆସି ଲେଙ୍କୁଡିପଡ଼ା ନିକଟସ୍ଥ ସାଇ ବିହାର ସମ୍ପର୍କିୟ ଲକ୍ଷ୍ମିପ୍ରିୟା ବେହେରାଙ୍କ ଘରକୁ ଆସିଥିଲେ । ନିଜ ମୋବାଇଲ୍ ଚାର୍ଜ ବସାଇ ସମ୍ପର୍କିୟଙ୍କ ମୋବାଇଲରେ ଘରଭିତରୁ କବାଟ ଦେଇ ଏକ ଫ୍ୟାନ୍ରେ ନିଜ ବେକରେ ଲୁଗା ବାନ୍ଧି କିପରି ଟିକ୍ଟକ୍ କରୁଥିଲେ ଏବଂ ଶେଷରେ ଜୀବନ ଦେବାକୁ ପଡିଲା ଏହା ସମସ୍ତଙ୍କୁ ଚକିତ କରିଛି । ସମ୍ପର୍କିୟ ଜଣକ କବାଟ ବାଡେଇଥିଲେ ମଧ୍ୟ କବାଟ ଖୋଲିନଥିଲେ । ପ୍ରେମରନନ୍ଦଙ୍କ ପରିବାର ଆସି ପହଞ୍ଚିବା ପରେ ବହୁ କଷ୍ଟରେ କବାଟ ଖୋଲିଥିଲେ ଏବଂ ବେକରେ ଲାଗିଥିବା ଲୁଗାକୁ ଖୋଲିଥିଲେ । ସେତେବେଳକୁ ଜୀବନ ଚାଲିଯାଇଥିଲା । ଏହାପରେ ଡାକ୍ତରଖାନାକୁ ପ୍ରେମାନନ୍ଦକୁ ଆଣିଥିଲେ । ନୟାଗଡ଼ ଟାଉନ୍ଥାନା ପୋଲିସ୍ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ବେଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଆଜି ପ୍ରେମାନନ୍ଦଙ୍କର ଶବ ପୋର୍ଟମର୍ଟମ୍ କରାଯିବା ପରେ ଆଉ କଣ ରହସ୍ୟ ଖୋଲିବ ଜଣାପଡିବ ।