ପାରାଦୀପ, (ବାଘୁଆବାର୍ତ୍ତା): ପାରାଦୀପରେ ପୁଣି ଥରେ ବାଘ ଆତଙ୍କ ଦେଖାଦେଇଛି । ଗତକାଲି ରବିବାର ସକାଳେ ସିସିଟିଭିରେ କଏଦ୍ ହୋଇଥିବା ଏକ ଦୃଶ୍ୟରେ ବାଘ ବୁଲୁଥିବାର ଚିତ୍ର ଉତ୍ତୋଳନ ହୋଇଛି । ଏହି ଭିଡିଓରେ ବାଘର ଚଳପ୍ରଚଳ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଗଲ୍ଫ ଫିଲ୍ଡ ପାଖାପାଖି ହେଉଥିବା ନଜରକୁ ଆସିଛି । ଗତ କିଛିଦିନ ତଳେ ଏଭଳି ଅନୁରୂପ ଭାବେ ବାଘର ଭିଡିଓ ଭାଇରାଲ୍ ହୋଇଥିଲା । ଜଣେ ଯୁବକ ମଧ୍ୟ ତା’ର କିଛିଦିନ ପୂର୍ବରୁ ରାସ୍ତାରେ ବାଘ ଚାଲୁଥିବା ଦେଖିବାକୁ ପାଇଥିଲେ । ହେଲେ ବନବିଭାଗ ଏହାକୁ ବଣ ବିଲେଇ କହି ଏଡ଼ାଇ ଯାଇଥିଲା । ମାତ୍ର ଏବେ ପୁଣି ସଦ୍ୟ ଭିଡିଓ ଭାଇରାଲ୍ ହୋଉଥିବା ଦେଖିବାକୁ ମିଳିଥିବା ବେଳେ ପାରାଦୀପବାସୀ ଏହାକୁ ନେଇ ଆତଙ୍କିତ ହୋଇପଡ଼ିଛନ୍ତି । ଭିଡିଓରେ ଏହା ଏକ ବାଘ ବୋଲି ପ୍ରତୀୟମାନ ହେଉଥିବା ବେଳେ ପ୍ରକୃତରେ ଏହା ବାଘ ନା ଆଉକିଛି ଏହାକୁ ନେଇ ବନ ବିଭାଗ ପକ୍ଷରୁ ଉପଯୁକ୍ତ ତଦନ୍ତ କରିବାକୁ ଦାବି ଉଠୁଛି ।






