ଯାଜପୁର, (ବାଘୁଆବାର୍ତ୍ତା): ଦୁଷ୍କର୍ମ ଅଭିଯୋଗରେ କାରାଦଣ୍ଡ । ଅଟୋ ଚାଳକକୁ ୩୦ ବର୍ଷ ଜେଲ୍ ଦଣ୍ଡ ସହ ୩୦ ହଜାର ଟଙ୍କା ଜରିମାନା l ଏଭଳି ରାୟ ଶୁଣାଇଛନ୍ତି ଯାଜପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ୱତନ୍ତ୍ର ପୋସ୍କୋ କୋର୍ଟ l ସୂଚନାଯୋଗ୍ୟ ଯେ, ଯାଜପୁର ଟାଉନ ଥାନା ଅଞ୍ଚଳର ଏକ ସରକାରୀ ସ୍କୁଲର ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅଟୋ ଚାଳକ ବଳରାମ ରଣା ନେବାଆଣିବା କରନ୍ତି l ଏହାର ସୁଯୋଗ ନେଇ ନାବାଳିକାଙ୍କୁ ଫସାଇ ଜିଲ୍ଲା ବାହାରକୁ ନେବା ସହ ମାସେ ଧରି ବିଭିନ୍ନ ଅଞ୍ଚଳରେ ରଖି ଶାରୀରିକ ସମ୍ପର୍କ ରଖୁଥିଲେ l ପରିବାର ପକ୍ଷରୁ ଅଭିଯୋଗ ପରେ ଯାଜପୁର ପୋଲିସ ଏକ ସ୍ୱତନ୍ତ୍ର ଟିମ୍ କରି ବରଗଡ଼ରୁ ଉଦ୍ଧାର କରିଥିଲା l ଏହି ମାମଲାର ବିଚାର କରି ସ୍ୱତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ଅଭିଜିତ ପଲେଇ ଅଭିଯୁକ୍ତ ଅଟୋ ଚାଳକକୁ ୩୦ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୩୦ ହଜାର ଟଙ୍କା ଜରିମାନା ଆଦାୟ ଲାଗି ନିର୍ଦ୍ଦେଶ ଦେଇଥିବା ସରକାରୀ ଓକିଲ ରାଜୀବ ମହାନ୍ତି ସୂଚନା ଦେଇଛନ୍ତି l






