ଟ୍ରାଇ ବେକର ସାହାଯ୍ୟରେ ହାଇଦ୍ରାବାଦ ୪-୩ ଗୋଲରେ ବିଜୟୀ
ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ନୟାଗଡ଼ କପ ୨୦୨୪ ର ଆଜି ତୃତୀୟ ଦିନ । ଆଜି ଦିବା ୩ ଘଟିକା ସମୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ସିନ୍ଦୁରିଆ ୭୮୬ ୟୁଥ କ୍ଲବ, ଜିଲ୍ଲା ଆଥଲେଟିକ ଆସୋସିଏସନ, ନୟାଗଡ଼ କ୍ଲବ ଓ ନୟାଗଡ଼ ମଣିଂ କ୍ଲବ ଆନୁକୁଲ୍ୟରେ ଉକ୍ତ ମ୍ୟାଚ ଅନୁଷ୍ଠିତ ହୋଇଛି । ଆଜି ଆର୍ଟିଲେରୀ ସେଣ୍ଟର ହାଇଦ୍ରାବାଦ ବନାମ ୟୁନାଇଟେଡ କ୍ଲବ ବରଗଡ଼ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମାର୍ଦ୍ଧରେ ୟୁନାଇଟେଡ କ୍ଲବ ବରଗଡ଼ ହାଇଦ୍ରାବାଦକୁ ୧ ଗୋଲ ଦେଇଥିଲା ।
ଦ୍ୱିତୀୟାର୍ଦ୍ଧ ଖେଳ ଶେଷ ହେବାର ୧ ମିନିଟ ପୂର୍ବରୁ ହାଇଦ୍ରାବାଦ ଗୋଲଟିକୁ ସୁଜାଇ ଦେଇଥିଲା । ମ୍ୟାଚ ସମାନ ସମାନ ରହିଥିଲା । ଏହା ପରେ ଟ୍ରାଇ ବେକର ସାହାଯ୍ୟ ନିଆଯାଇଥିଲା । ଟ୍ରାଇବେକର ଦ୍ୱାରା ହାଇଦ୍ରାବାଦ ଟିମ୍ ୪-୩ ଗୋଲରେ ବିଜୟ ଲାଭ କରିଥିଲା । ଆଜିର ମ୍ୟାଚ ବହୁ ସଂଘର୍ଷପୁର୍ଣ୍ଣ ଥିଲା । ହଜାର ହଜାର ଦର୍ଶକ ଶେଷ ପର୍ଯ୍ୟନ୍ତ ଖେଳକୁ ଉପଭୋଗ କରିଥିଲେ ।
ଆଜିର ଖେଳରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ପୌରଧ୍ୟକ୍ଷା ନିରୁପମା ଖଟେଇ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ରବିନ୍ଦ୍ର ନାଥ ସାହୁ, ନୟାଗଡ଼ ଜିଲ୍ଲା ବଜୁ ଛାତ୍ର ଜନତା ଦଳ ସଭାପତି ନୀଳମାଧବ ପଣ୍ଡା, ସମାଜସେବୀ ତାପସ ରଞ୍ଜନ ପାଢ଼ୀ, ସମାଜସେବୀ ପ୍ରଦୋଷ କୁମାର ଜେନା, ବାଲେଶ୍ୱରର ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଗିରିଶ ଚନ୍ଦ୍ର ଦାସ, ନୟାଗଡ଼ ଜିଲ୍ଲା ପୂର୍ବତନ ଜିଲ୍ଲା ପରିଷଦ ସଭାପତି ମାଳତୀ ଗୁରୁ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଆଜିର ଖେଳକୁ ପରିଚାଳନା କରିଥିଲେ ରେଫରୀ ଆଶୀର୍ବାଦ କାନୁନ୍ଗୋ, ଶଶିକାନ୍ତ ଦାଶିଆ, ଦେବରାଜ ସ୍ୱାଇଁ ଓ ପ୍ରଶନ୍ନ ନାୟକ । ମ୍ୟାଚର କମିଶନର ହୋଇଥିଲେ କୋଚ ଆଲୋକ କୁମାର ଦାସ । ଆଜିର ଖେଳକୁ ସଞ୍ଚାଳନ କରିଥିଲେ ସେକ୍ ଅବଦୁଲ୍ ଖାଲିକ ଓ ଆଶୁତୋଷ ମିଶ୍ର । ଆସନ୍ତା କାଲି ସୀମା ଶଶକ୍ତ ବଳ ସିଲିଗୁଡି କଲିକତା ବନାମ ସାଇ ହାଲ ସୁନାବେଢ଼ା ମଧ୍ୟରେ ଖେଳ ଅନୁଷ୍ଠିତ ହେବ । ଆଜିର ଖେଳ ଦେଖିବା ପାଇଁ ହଜାର ହଜାର ସଂଖ୍ୟକ ପୁରୁଷ ଓ ମହିଳା ସାମିଲ ହୋଇଥିଲେ ।






