ନୟାଗଡ଼, (ବାଘୁଆବାର୍ତ୍ତା): ବାକି ଟଙ୍କା ମାଗିବାକୁ କେନ୍ଦ୍ରକରି ଛୁରୀରେ ଆକ୍ରମଣ । ଦୁଇଭାଇଙ୍କ ଆକ୍ରମଣରେ ୪ଆହତ , ନୟାଗଡ ମେଡିକାଲରେ ଭର୍ତ୍ତି । ନୟାଗଡ ଜିଲ୍ଲା ଶରଣକୂଳ ଥାନା ସୋଲପଟା ଗାଁର ଘଟଣା । ମାଛିପଡା ଗାଁର ଧନୁ ବେହେରା ଛେନାପୋଡ ବ୍ୟବସାୟ କରନ୍ତି । ଧନୁ ଛେନାପୋଡ ଭୁବନେଶ୍ବର ପଠାଇବା ପରେ ସୋଲପଟାର ସନାତନ ବେହେରା ଭୁବନେଶ୍ବରରେ ରହି ଛେନାପୋଡକୁ ବିଭିନ୍ନ ସ୍ଥାନକୁ ପଠାଇଥାନ୍ତି । ଏଥିପାଇଁ ସନାତନ ଧନୁଙ୍କ ଠାରୁ ପାରିଶ୍ରମିକ ପାଇଥାନ୍ତି । ଗତ ଦୁଇଦିନ ତଳେ ସନାତନଙ୍କ ମାଙ୍କ ମୃତ୍ୟୁ ହେବାରୁ ସେ ଧନୁଙ୍କୁ ଆଜି ସନ୍ଧ୍ୟାରେ ଟଙ୍କା ମାଗିଥିଲେ । ଏହାକୁ ନେଇ ଧନୁ ଏବଂ ସନାତନଙ୍କ ମଧ୍ୟରେ ପାଟିତୁଣ୍ଡ ଏବଂ ଠେଲାପେଲା ହୋଇଥିଲା । ସେହିସମୟରେ ନିକଟରେ ଥିବା ୪ଭାଇ ଗଗନ, ଟୁଙ୍ଗୁରୁ, ସୁବାସ ଏବଂ ରବିନ୍ଦ୍ର ବେହେରା ଉଭୟଙ୍କୁ ବୁଝାସୁଝା କରି ଛାଡିଥିଲେ । ତେବେ କିଛି ସମୟପରେ ଧନୁ ତାଙ୍କ ସାନଭାଇ କାହ୍ନା ଏବଂ ତାଙ୍କ ବାପା ହରି ବେହେରା ସୋଲପଟାକୁ ଆସି ପୁଣିଥରେ ପାଟିତୁଣ୍ଡ କରିବା ସହ ଛୁରି ଏବଂ ବ୍ଲେଡରେ ଆକ୍ରମଣ କରିଥିଲେ । ଏଥିରେ ଗଗନ, ଟୁଙ୍ଗୁରୁ, ସୁବାସ ଏବଂ ରବିନ୍ଦ୍ର ଆହତ ହୋଇ ନୟାଗଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ପୋଲିସ କାହ୍ନା ଏବଂ ହରିଙ୍କୁ ଧରି ଥାନାକୁ ଆଣିଛି । ଧନୁ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି । ହରି ଆହତ ହୋଇଥିବାରୁ ପୋଲିସ ତାଙ୍କୁ ମେଡିକାଲକୁ ଆଣି ପ୍ରାଥମିକ ଚିକିତ୍ସା କରି ନେଇଛି । ଶରଣକୂଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।





