ଦେବଗଡ, (ବାଘୁଆବାର୍ତ୍ତା): ଭିଜିଲାନ୍ସ ଜାଲରେ ପଡିଥିବା ଦେବଗଡ ଜିଲ୍ଲା ରିଆମାଳ ବ୍ଲକର ଆକାଉଣ୍ଟସ ଅଫିସର ରାଜେନ୍ଦ୍ର ଦାଶଙ୍କ ବୁଧବାର ସ୍ବାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଛି । ଭିଜିଲାନ୍ସ ବିଭାଗ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାଜେନ୍ଦ୍ର ଦାଶଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇ ପ୍ରଥମେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ପରେ ତାଙ୍କୁ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରିବାକୁ ବିଭାଗ ପକ୍ଷରୁ ଗାଡିରେ ସମ୍ବଲପୁର ନିଆଯାଇଛି । ଏକ ଅଙ୍ଗନଓ୍ବାଡୀ ଘର ନିର୍ମାଣର ଆଂଶିକ ବିଲ୍ ଦୁଇ ଲକ୍ଷ ଟଙ୍କା ପେମେଣ୍ଟ ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମଙ୍ଗଳବାର ତାଙ୍କୁ ଭିଜିଲାନ୍ସ ବିଭାଗ ଧରିଥିଲେ । ରିଆମାଳ ବ୍ଲକ ଅନ୍ତର୍ଗତ ଟୀଙ୍କବିର ଗ୍ରାମର ବିଜୟ କୁମାର ନାୟକ ଏନେଇ ଦେବଗଡ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ । ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶକ୍ରମେ ଦେବଗଡ ଡିଏସପି ଯୋଗେନ୍ଦ୍ର ପ୍ରସାଦ ପଟେଲ ଓ ଝାରସୁଗୁଡ଼ା ଡିଏସପି ପ୍ରଦୀପ କୁମାର ଆଇନ୍ଦଙ୍କ ନେତୃତ୍ଵରେ ସ୍ବତନ୍ତ୍ର ଟିମ୍ ଏହି ଚଢାଉ କରିଥିଲେ । ଅଭିଯୋଗକାରୀ ରସାୟନିକ ପଦାର୍ଥ ବୋଳାଯାଇଥିବା ୬ ହଜାର ଟଙ୍କା ଅଫିସରେ ନେଇ ତାଙ୍କୁ ଦେଇଥିବା ବେଳେ ସେ ଟଙ୍କାକୁ ଟେବୁଲ ଡ୍ରୟର ମଧ୍ୟରେ ରଖିଥିଲେ । ପରେ ଭିଜିଲାନ୍ସ ଟିମ୍ ସେଠାରେ ପହଞ୍ଚି ଟେବୁଲ ଡ୍ରୟର ମଧ୍ୟରୁ ଲାଞ୍ଚ ଟଙ୍କା ଉଦ୍ଧାର କରିଥିଲେ । ଏହି ଘଟଣା ପରେ ତାଙ୍କ ରିଆମାଳ ବାସଭବନରେ ଖାନତଲାସି କରାଯାଇଥିଲା । ସେହିପରି ସୁନ୍ଦରଗଡ ଭିଜିଲାନ୍ସ ବିଭାଗର ଏକ ଟିମ୍ ତାଙ୍କ ପୈତୃକ ବାସଭବନ ସମ୍ବଲପୁର ଜିଲ୍ଲା ଠେଲକୁଲି ଥାନା ଅନ୍ତର୍ଗତ ଲପଙ୍ଗା ଗ୍ରାମରେ ମଧ୍ୟ ଯାଞ୍ଚ କରିଥିଲେ । ଅଭିଯୁକ୍ତ ଆକାଉଣ୍ଟସ ଅଫିସର ରାଜେନ୍ଦ୍ର ଦାଶଙ୍କୁ ମଙ୍ଗଳବାର ଦେବଗଡ ଭିଜିଲାନ୍ସ କାର୍ୟ୍ୟାଳୟରେ ଅଟକ ରଖାଯାଇ ଅଧିକ ପଚରାଉଚରା କରାଯାଇଥିବା ବେଳେ ବୁଧବାର ମଧ୍ୟାହ୍ନରେ କୋର୍ଟ ଚାଲାଣ କରାଯାଇଛି ।





