ପୁଲିସ ଘରୁ ଚୋରୀ ପଡିଲା ମହଙ୍ଗା, ଚୋରୀ ଟଙ୍କାରେ ଚଢୁଥିଲେ ବ୍ରିଜା କାର, ତିନି ଗିରଫ

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଟାଉନଥାନା ଅନ୍ତର୍ଗତ ଦେବୋତ୍ତର କଲୋନୀ ୫ ନମ୍ବର ଲେନ୍‌ରେ ରହିଥିବା ସମ୍ବଲପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ(ଗୁଇନ୍ଦା) ନାରାୟଣ ନାୟକଙ୍କ ଘରୁ ୩୦ ତାରିଖ ମଧ୍ୟାହ୍ନରେ ଚୋରୀ ହୋଇଥିଲା । ଏନେଇ ତାଙ୍କ ପତ୍ନୀ ମମତା ନାୟକ ଟାଉନଥାନାରେ ଏତଲା ଦେବା ପରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରୀ ସାମଗ୍ରୀ ଉଦ୍ଧାର କରିଛି ।

ଗିରଫ ଅଭିଯୁକ୍ତମାନେ ହେଲେ କଟକ ଜିଲ୍ଲା ବୈଦେଶ୍ୱର ଥାନା ଅନ୍ତର୍ଗତ ଖଜୁରୀପଦାର ମନୋଜ କୁମାର ସିଂ, ଜୟନ୍ତ କୁମାର ପାଣିଗ୍ରାହୀ ଏବଂ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଢୋଲପାଟଣା ଗ୍ରାମର ସଦାଶିବ ସିର୍କେ ବୋଲି ସୂଚନା ମିଳିଛି । ପୁଲିସ ସେମାନଙ୍କଠାରୁ ୨୮୦ ଗ୍ରାମ ସୁନା ଅଳଙ୍କାର, ୧୬୦ ଗ୍ରାମ ରୂପା ଅଳଙ୍କାର, ଗୋଟିଏ ଟାବଲେଟ୍‌, ଗୋଟିଏ ଲ୍ୟାପଟପ୍‌, ୩ ହଜାର ଟଙ୍କା ସହିତ ମନିପର୍ସ, ୩ଟି କମ୍ପ୍ୟୁଟର ହାର୍ଡ଼ଡିକ୍ସ, ହାତଘଣ୍ଟା, ଘର ଭାଙ୍ଗିବା ସରଞ୍ଜାମ, ଗୋଟିଏ କାର, ୨ଟି ବାଇକ ଜବତ କରିଛି ।

ଅଭିଯୁକ୍ତଙ୍କ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ମାମଲା ରହିଥିବା ସୂଚନା ମିଳିଛି । ଏମାନେ ଭେଟେରାନ ତଥା ହାର୍ଡ଼କୋର କ୍ରିମିନାଲ ବୋଲି ଜଣାପଡ଼ିଛି । ଜୟନ୍ତ ନାଁରେ ୧ଟି, ମନୋଜ ନାଁରେ ୧୯ଟି, ସଦାଶିବ ନାଁରେ ୫ଟି ମାମଲା ରହିଛି । ଏନେଇ ଆଜି ନୟାଗଡ଼ ଏସଡିପିଓଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ନୟାଗଡ଼ ଏସ୍‌ପି ରାହୁଲ ଜୈନ ସୂଚନା ଦେଇଛନ୍ତି । ଏସ୍‌ଡିପିଓ ସୁଦର୍ଶନ ଗାଙ୍ଗୋଇ ଏବଂ ନୟାଗଡ଼ ଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ର ଉପସ୍ଥିତ ରହିଥିଲେ । ଦେବୋତ୍ତର କଲୋନୀ ୪ ନମ୍ବର ଲେନ୍ ଶିବପ୍ରସାଦ ସାହୁଙ୍କ ଘରୁ ସେପ୍ଟେମ୍ବର ୧୫ ତାରିଖରେ ହୋଇଥିବା ଚୋରୀ ଘଟଣାରେ ଏହି ଅଭିଯୁକ୍ତମାନେ ସାମିଲ ଥିଲେ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।