ଅନୁସନ୍ଧାନ କରନ୍ତୁ ଏସ୍ପି
ନୟାଗଡ଼,(ବାଘୁଆବାର୍ତ୍ତା): ସାରା ବିଶ୍ୱରେ କରୋନା ମହାମାରୀକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ପୁଲିସ ପ୍ରଶାସନ ଉପରେ ଭରସା ରଖିଛନ୍ତି । ମାତ୍ର କିଛି ମୁନାଫା ଖୋର ପୁଲିସ୍ କର୍ମଚାରୀଙ୍କ ପାଇଁ ଜିଲ୍ଲାରେ ପୁଲିସ ବିଭାଗ ବଦନାମ ହେଉଛି । ଲକ୍ଡାଉନ୍ ପାଇଁ ସମସ୍ତ ମଦ ଦୋକାନ ବନ୍ଦ ଥିବା ବେଳେ ଚୋରା ମଦ କାରବାର ବ୍ୟାପକ ଭାବେ ଚାଲିଥିବା ଜଣାଯାଇଛି । ଜିଲ୍ଲାରେ ଚୋରା ମଦ କାରବାରକୁ ନେଇ ୨୬ଟି ମାମଲା ରୁଜୁ ହୋଇଛି । କୋରେସ୍କ, ବ୍ରାଉନ୍ସୁଗାର, ମଦ, ଗୁଟଖା ପରି ସାମଗ୍ରୀ ବିଭିନ୍ନ ଥାନାରେ ଜବତ କରାଯାଇଛି । ଅନେକ ସମୟରେ ଦେଖା ଯାଇଛି, ଏହି ଜବତ ସାମଗ୍ରୀ ପୁଣି ବଜାରକୁ ଫେରୁଛି । ଏପରିକି ଚୋରା ବେପାରୀଙ୍କଠାରୁ ପୁଲିସ ଧରିଥିବା ମଦକୁ ଥାନାରେ ରଖି ବେପାର କରୁଥିବା ଘଟଣାକୁ ନେଇ ଏବେ ନୟାଗଡ଼ ସହର ଉଠୁଛି ଓ ପଡ଼ୁଛି । ନୟାଗଡ଼ ସହର ନିକଟବର୍ତ୍ତୀ ଏକ ଥାନାରେ ଏହି ବେପାର ଚାଲିଥିବା ଆଲୋଚନା ହେଉଥିବା ବେଳେ ଗତକାଲି ସଂନ୍ଧ୍ୟାରେ ତିନିପେଟି ମଦ ବିକ୍ରି କରାଯାଇଥିବା ଚର୍ଚ୍ଚା ହେଉଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏହାର ଅନୁସନ୍ଧାନ କରିବା ପାଇଁ ଦାବି ହେଉଥିବା ବେଳେ ଏହା ପୁଲିସ୍ ବିଭାଗ ପାଇଁ ଏକ କଳଙ୍କ ବୋଲି ଆଲୋଚନା ହେଉଛି ।






