ନୟାଗଡ଼ (ବାଘୁଆବାର୍ତ୍ତା): ନ୍ୟାୟ ପାଇଁ ଦ୍ୱାର ଦ୍ୱାର ବୁଲୁଛନ୍ତି ମହିଳା । ନିଜ ସ୍ୱାମୀଙ୍କୁ ପାଇବା ପାଇଁ ସଂଘର୍ଷ କରୁଛନ୍ତି ଫିରିଙ୍ଗିଆ ବ୍ଳକର ରବିଙ୍ଗିଆ ଗ୍ରାମର ମହିଳା । ସୂଚନାନୁସାରେ, ଗତ୨୦୦୯ ଜୁନରେ ଖଜୁରୀପଡା ଦରଡି ଗ୍ରାମର ଉକ୍ତ ମହିଳାଙ୍କ ସହ ରବିଙ୍ଗିଆ ଗ୍ରାମର ପ୍ରତାପ କହଁରଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । ପ୍ରତାପଙ୍କ ଗୋଟିଏ ଝିଅ ଓ ଗୋଟିଏ ପୁଅ ଥିବା ସତ୍ତେ୍ୱ ସେ ପୁଣି ଦ୍ୱିତୀୟ ବିବାହ କରିଥିବା ଅଭିଯୋଗ କରି ମହିଳା ଜଣଙ୍କ ଫୁଲବାଣୀ ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ । ଗତ କିଛି ବର୍ଷ ହେଲା ମହିଳା ଓ ସ୍ୱାମୀ ପ୍ରତାପଙ୍କ ମଧ୍ୟରେ ଝଗଡ଼ା ଓ ମନୋମାଳିନ୍ୟ ହୋଇଥିôବାରୁ ପ୍ରତାପଙ୍କ ପରିବାର ମହିଳାଙ୍କୁ କୁଆଡେ ଘରୁ ତଡ଼ି ଦେଇଥିଲେ । ଫଳରେ ମହିଳା ନିଜ ବାପଘର ଖଜୁରୀପଡାରେ ଦୁଇ ପିଲାଙ୍କୁ ନେଇ ରହିଛନ୍ତି । ତେବେ ନିଜ ସ୍ୱାମୀ ପୁଣି ଦ୍ୱିତୀୟ ବିବାହ କରିଛନ୍ତି ଓ ତାଙ୍କର ଗୋଟିଏ ସନ୍ତାନ ଥିବା ଖବର ପାଇ ଫିରିଙ୍ଗିଆ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ କରିବା ପରେ ଥାନା ଅଧିକାରୀ ଏ ନେଇ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ ନ କରିବା ଫଳରେ ମହିଳା ଛୁଆ ପିଲାଙ୍କୁ ନେଇ ବୁଧବାର କନ୍ଧମାଳ ଏସପିଙ୍କ କାର୍ଯାଳୟରେ ନ୍ୟାୟ ପାଇଁ ଦ୍ୱାରସ୍ଥ ହୋଇଥିଲେ । ନିଜ ସ୍ୱାମୀଙ୍କୁ ଫେରିପାଇବା ପାଇଁ ଆକୁଳ ନିବେଦନ କରିବା ପରେ ବରିଷ୍ଠ ପୋଲିସ ଅଧିକାରୀ ମହିଳାଙ୍କୁ ଫିରିଙ୍ଗିଆ ଥାନାକୁ ଯିବାକୁ କହି ଘଟଣା ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେବା ପରେ ଫିରିଙ୍ଗିଆ ପୋଲିସ ମହିଳାଙ୍କ ଅଭିଯୋଗର ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଫିରିଙ୍ଗିଆ ପୁଲିସ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଓ ପୀଡିତା କିଭଳି ନ୍ୟାୟ ପାଇବେ ତାହା ଦେଖିବାର ଅଛି ।





