ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ପଦ୍ମାବତୀ ନିକଟ ମହାନଦୀ ପଠାରୁ ପୁରାତନ ଗୋପିନାଥ ମନ୍ଦିର ପୂର୍ବରୁ ଦେଖିବାକୁ ମିଳିଥିଲା ବେଳେ ଆଜି ବୈତରଣୀ ନଦୀପଠାରେ ଦେଖିବାକୁ ମିଳିଛି ଆଉ ଏକ ମନ୍ଦିରର ମୁଖଶାଳା । ଏହି ମୁଖଶାଳାକୁ ଦେଖିବା ପାଇଁ ଦଶରଥପୁର ପ୍ରଶାସନ ଓ ସ୍ଥାନୀୟ ଅଞ୍ଚଳରେ ଜନସମାଗମ ଦେଖିବାକୁ ମିଳିଛି । ସୂଚନାନୁସାରେ, ଯାଜପୁର ଜିଲ୍ଲା ଦଶରଥପୁର ତହସିଲ ଅନ୍ତର୍ଗତ ଦେଇ ବହିଯାଇଥିବା ବୈତରଣୀ ନଦୀ ଗର୍ଭରୁ ବାଲି ଖୋଳା ଚାଲିଥିବା ବେଳେ ଏକ ମନ୍ଦିର ଓ ଶିବଲିଙ୍ଗ ଦେଖିବାକୁ ମିଳିଥିଲା । ବହୁ ପୁରାତନ ସିଦେ୍ଧଶ୍ୱର ମନ୍ଦିରର ୨ଶହ ମିଟର ଦୂରରେ ଥିବା ବୈତରଣୀ ନଦୀଗର୍ଭରେ ଏହି ମନ୍ଦିରର ଚୂଡ଼ା ଦେଖା ଯାଇଥିଲା । ପଥରର ଉଚ୍ଚତା ପାଖାପାଖି ୩ଫୁଟ ରହିଛି । ନଦୀ ଗର୍ଭରୁ ମନ୍ଦିର ଓ ଶିବଲିଙ୍ଗ ଠାବ ହୋଇଥିବା ଜଣାପଡିବା ପରେ ସ୍ଥାନୀୟ ବାସିନ୍ଦାଙ୍କ ଜନସମାଗମ ଦେଖିବାକୁ ମିଳିଛି । ନଦୀଗର୍ଭରୁ ମିଳିଥିବା ମନ୍ଦିର ଓ ଶିବଲିଙ୍ଗ ଭଳି ଦେଖା ଯାଉଥିବା ପ୍ରସ୍ତରଖଣ୍ଡ କେତେ ବର୍ଷର ପୁରୁଣା ଏବଂ ଏହା ପ୍ରକୃତରେ କେଉଁ ମନ୍ଦିର ଜାଣିବା ପାଇଁ ପ୍ରତ୍ନତତ୍ୱ ବିଭାଗ ଏହା ଉପରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।






