ରଣପୁର,(ବାଘୁଆବାର୍ତ୍ତା): ନୟଗଡ଼ ଜିଲ୍ଲା ରଣପୁର ବ୍ଲକର ବିଭିନ୍ନ ଶିକ୍ଷକ ସଙ୍ଘକୁ ନେଇ ଗଠିତ ହୋଇଥିବା ପ୍ରାଥମିକ ଶିକ୍ଷକ ସମନ୍ୱୟ ସମିତି ଆନୁକୂଲ୍ୟରେ ଆଜି ଏକ ସମୂହ ସେବା ନିବୃତ୍ତ ସମ୍ବର୍ଦ୍ଧନା ସଭା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶାର ବାଚସ୍ପତି ସୁରମା ପାଢ଼ୀ, ସମ୍ମାନିତ ଅତିଥି ଭାବେ ପୁରୀ ସାଂସଦ ପ୍ରତିନିଧି ପ୍ରିୟବ୍ରତ ପ୍ରହରାଜ, ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ବ୍ଲକ ଶିକ୍ଷା ଅଧିକାରୀଣୀ ବନଲତା ବେହେରା ପ୍ରମୁଖ ଯୋଗ ଦେଇଥିଲେ । ପୂର୍ବାହ୍ନରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଓ ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା ଯୋଗ ଦେଇଥିଲେ । ଅତିଥିଙ୍କୁ ସ୍ମୃତି ଫଳକ ପ୍ରଦାନ କରାଯାଇଥିଲା । ଏଥିରେ ଅବସର ନେଇଥିବା ୨୯ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଅତିଥିବୃନ୍ଦ ଏହିଭଳି କାର୍ୟ୍ୟକ୍ରମ ପ୍ରତି ବର୍ଷ କରି ଶିକ୍ଷକମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରିବା ପାଇଁ ପରାମର୍ଶ ଦେଇଥିଲେ । ଶିକ୍ଷକମାନେ ଶିକ୍ଷକ ଭବନ କାର୍ୟ୍ୟକୁ ସମ୍ପୂର୍ଣ କରିବା ପାଇଁ ବାଚସ୍ପତି ମହୋଦୟାଙ୍କୁ ନିବେଦନ କରିଥିଲେ । ଏହି କାର୍ୟ୍ୟକ୍ରମରେ ସମନ୍ୱୟ ଶିକ୍ଷକ ସମିତିର ସମସ୍ତ କର୍ମକର୍ତ୍ତାଙ୍କ ସହ ଶିକ୍ଷକ ଶିକ୍ଷୟତ୍ରୀମାନେ ଯୋଗ ଦେଇଥିଲେ ।






