ଭଦ୍ରକ, (ବାଘୁଆବାର୍ତ୍ତା): କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପରିବର୍ତ୍ତିତ ଶିକ୍ଷା ପଦ୍ଧତି ପାଳନ କରିବାକୁ ଓଡ଼ିଶାରେ ଗ୍ରାମାଞ୍ଚଳର ଶିକ୍ଷକ ଶିକ୍ଷୟିତ୍ରୀମାନେ ହଟହଟା ହେଉଛନ୍ତି । ଶିକ୍ଷକମାନେ ରାଷ୍ଟ୍ର ନିର୍ମାତା ହୋଇଥିବାବେଳେ ବାସ୍ତବ କ୍ଷେତ୍ରରେ ସେମାନଙ୍କ ପ୍ରତି ଅମାନବିକ ବ୍ୟବହାର, ଅସଦାଚରଣ ଓ ଆକ୍ରମଣ ଇତ୍ୟାଦି ଘଟଣା ଆମ ଶିକ୍ଷା ବ୍ୟବସ୍ଥା ପ୍ରତି ଅଙ୍ଗୁଠି ନିର୍ଦ୍ଦେଶ କରିଛି । ଏଭଳି ଚାଞ୍ଚଲ୍ୟକର ଘଟଣା ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଦଇଶିଂ ପଞ୍ଚାୟତର ସୁବର୍ଣ୍ଣେଶ୍ୱର ପ୍ରାଥମିକ ବିଦ୍ୟାଳୟରେ ଘଟିଛି । ଏହି ବିଦ୍ୟାଳୟର ଜଣେ ସହକାରୀ ଶିକ୍ଷକ ନରହରି ସେଠୀ କେନ୍ଦ୍ର ସରକାରଙ୍କ ନାସ (ନ୍ୟାସନାଲ ଏଚିଭମେଣ୍ଟ ସର୍ଭେ ଡୋରଷ୍ଟେପ୍) ଯୋଜନାରେ ଗାଁ ଶିବ ମନ୍ଦିରରେ ପିଲାମାନଙ୍କୁ ପାଠ ପଢ଼ାଉଥିଲେ । ଏହି ସମୟରେ କେତେକ ଗ୍ରାମବାସୀ ପୂର୍ବ ଘଟଣାକୁ ନେଇ ତାଙ୍କ ସହ ଯୁକ୍ତିତର୍କ କରିଥିଲେ । ଏପରିକି ତାଙ୍କୁ ଘୋଷାରି ଘୋଷାରି ଆଣି ଗଛରେ ବାନ୍ଧିବା ସହ ନିସ୍ତୁକ ମାଡ଼ ମାରିଥିଲେ । ଘଟଣା ସମ୍ପର୍କରେ ଖବର ପାଇ କେତେକ ଶିକ୍ଷକ ନେତା ପୁଲିସକୁ ଜଣାଇଥିଲେ । ପୁଲିସ ସଂପୃକ୍ତ ଶିକ୍ଷକଙ୍କୁ ଉଦ୍ଧାର କରିଥିଲା । ପରେ ପୀଡ଼ିତ ସହକାରୀ ଶିକ୍ଷକ ଶ୍ରୀ ସେଠୀ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ୫ଜଣ ଗ୍ରାମବାସୀଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ମାମଲାରେ ଜଣଙ୍କୁ ଅଟକ ରଖିଛି । ସୂଚନାଯୋଗ୍ୟ, ବିଦ୍ୟାଳୟ ଉନ୍ନୟନ ନିମନ୍ତେ ଖର୍ଚ୍ଚ ହୋଇଥିବା ଅର୍ଥର ହିସାବକୁ ନେଇ ବିବାଦ ଉପୁଜିଥିଲା । ଗତ ସୋମବାର ମଧ୍ୟାହ୍ନରେ ସୁବର୍ଣ୍ଣେଶ୍ୱର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌରାଙ୍ଗ ଚରଣ ନାୟକ, ସହକାରୀ ଶିକ୍ଷକ ନରହରି ସେଠୀ, ମୁକୁନ୍ଦ ଟୁଡୁ ପ୍ରମୁଖ ବିଦ୍ୟାଳୟରେ ଥିବାବେଳେ କେତେକ ଗ୍ରାମବାସୀ ଅଫିସ ଓ ବିଦ୍ୟାଳୟ ଫାଟକରେ ତାଲା ପକାଇ ଦେଇଥିଲେ । ଫଳରେ ମଧ୍ୟାହ୍ନ ୨ଟାରୁ ୪ଟା ପର୍ୟ୍ୟନ୍ତ ୨ଘଣ୍ଟା ଧରି ଶିକ୍ଷକମାନେ ସ୍କୁଲ ମଧ୍ୟରେ ଅଟକ ରହିଥିଲେ । ଏ ବାବଦରେ ବ୍ଲକ ଶିକ୍ଷାଧିକାରୀ ଚକ୍ରଧର ମଲ୍ଲ୍କ ଖବର ପାଇଥିଲେ । ତାଙ୍କ ନିର୍ଦ୍ଦେଶ କ୍ରମେ ୨ଜଣ ସିଆରସିସି ପଦ୍ମଲୋଚନ ପଣ୍ଡା, ବାଇଧର ପଲାଇ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ । ଗ୍ରାମବାସୀଙ୍କ ସହ ଆଲୋଚନା କରି ସେମାନଙ୍କୁ ମୁକୁଳାଇଥିଲେ । ଆସନ୍ତା ଶୁକ୍ରବାର ବିବାଦର ସମାଧାନ କରିବାକୁ ଦିନ ଧାର୍ୟ୍ୟ ହୋଇଥିଲା । ହେଲେ ମଙ୍ଗଳବାର ଶିକ୍ଷକ ଶ୍ରୀ ସେଠୀ ପିଲାଙ୍କୁ ପଢ଼ାଉଥିବାବେଳେ କେତେକ ଗ୍ରାମବାସୀ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ ସହ ଗଛରେ ବାନ୍ଧି ଦେଇ ମାଡ଼ ମାରିଥିବା ଥାନାରେ ହୋଇଥିବା ଅଭିଯୋଗରୁ ଜଣାଯାଇଛି । ପ୍ରାଥମିକ ଶିକ୍ଷକ ସଂଘ ଫେଡରେସନ ରାଜ୍ୟ ସଂଯୋଜିକା ଚାରୁଲତା ମହାପାତ୍ର ଗାଁଗୁଡ଼ିକରେ ଶିକ୍ଷକଙ୍କ ପ୍ରତି ଏଭଳି ଅମାନବିକ ଅତ୍ୟାଚାରକୁ ତୀବ୍ର ନିନ୍ଦା କରିଛନ୍ତି । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପିଲାଙ୍କ ପାଖକୁ ଯାଇ ଶିକ୍ଷାଦାନ କରୁଥିବାବେଳେ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ ଅତ୍ୟନ୍ତ ଦୁଃଖଦାୟକ । ଦୋଷୀଙ୍କୁ ତୁରନ୍ତ ଗିରଫ କରାଯିବା ସହ ସେମାନଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ସେ ଦାବି କରିଛନ୍ତି । ଏଥିରେ ବ୍ୟତିକ୍ରମ ଘଟିଲେ ସଂଘ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଶ୍ରୀମତୀ ମହାପାତ୍ର ଚେତାବନୀ ଦେଇଛନ୍ତି ।






