ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ ଭାରତ-ନ୍ୟୁଜିଲାଣ୍ଡ ଟି-୨୦ କ୍ରିକେଟ୍ ସିରିଜର ଶେଷ ମ୍ୟାଚ୍ । ରୋହିତ୍ ସେନା ୨-୦ ପଏଣ୍ଟରେ ଆଗରେ ରହି ମନବୋଳ ଦୃଢ କରିଥିବା ବେଳେ ସମ୍ମାନ ବଜାୟ ରଖିବା ପାଇଁ ପଡିଆକୁ ଓହ୍ଲାଇବ ନ୍ୟୁଜିଲାଣ୍ଡ ଦଳ । ସେପଟେ କ୍ଲିନ୍ ସୁଇପ୍ କରିବା ଲକ୍ଷ୍ୟ ରଖିଛି ରୋହିତ ସେନା । ସେଥିପାଇଁ ଜୟପୁର ଓ ରାଞ୍ଚି ପରେ କୋଲକାତାରେ ମଧ୍ୟ ରୋହିତ ବାହିନୀ ବିଜୟ ବାନା ଉଡ଼ାଇବା ଲକ୍ଷ୍ୟରେ ରହିଛି। ଆଉ ଏହି ଲକ୍ଷ୍ୟ ପୂରଣ ଲାଗି ରବିବାର ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ରେ ଟିମ୍ ଇଣ୍ଡିଆକୁ ବିଜୟୀ ହେବାକୁ ପଡ଼ିବ। ଏହା କରିପାରିଲେ ଭାରତୀୟ କ୍ରିକେଟ୍ ଦଳ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବ । ନ୍ୟୁଜିଲାଣ୍ଡ ବିପକ୍ଷରେ ହ୍ୟାଟ୍ରିକ୍ ବିଜୟ ସହ ଟ୍ବେଣ୍ଟି-୨୦ ବିଶ୍ବକପ୍ ପରାଜୟର ପ୍ରତିଶୋଧ ସମୂଳେ ନେଇପାରିବ । ସେହିଭଳି ନୂଆ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଓ ନୂଆ ଅଧିନାୟକ ରୋହିତ ଶର୍ମାଙ୍କ ଯୋଡ଼ି ପ୍ରଥମ ଶୃଙ୍ଖଳାରେ ମୂଳପୋଛ ବିଜୟ ହାସଲ କରିବାର କୀର୍ତ୍ତିମାନ ସ୍ଥାପନ କରିବେ । ପ୍ରଥମ ଦୁଇ ମୁକାବିଲା ଜିତିବା ପରେ ଭାରତ ଅବଶ୍ୟ ଶୃଙ୍ଖଳା ଜିତି ସାରିଛି । ସେଥିପାଇଁ କିଛି ସଂରକ୍ଷିତ ଖେଳାଳିଙ୍କୁ ଖେଳାଇବାର ବିକଳ୍ପ ଭାରତ ପାଖରେ ଖୋଲା ରହିବ । ତେବେ ରାହୁଲ-ରୋହିତ ଯୋଡ଼ି ଦଳର ସନ୍ତୁଳନକୁ ଭାଙ୍ଗି ଏଥିରେ ବଡ଼ ଧରଣର ଅଦଳ ବଦଳ କରିବାର ସମ୍ଭାବନା ପ୍ରାୟ ନାହିଁ। ତଥାପି ଦୀପକ ଚହର ଓ କିମ୍ବା ଭୁବନେଶ୍ବର କୁମାରଙ୍କ ସ୍ଥାନରେ ଅଭେଶ ଖାନଙ୍କୁ ଖେଳାଇବାର ସାହସ ଉଭୟ ଦେଖାଇପାରନ୍ତି । ସେହିଭଳି ରବିଚନ୍ଦ୍ରନ ଅଶ୍ବିନ କିମ୍ବା ଅକ୍ଷର ପଟେଲଙ୍କ ବଦଳରେ ୟୁଜବେନ୍ଦ୍ର ଚହଲ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇପାରନ୍ତି। ଋତୁରାଜ ଗାଏକ୍ବାଡଙ୍କୁ ବି ସୁଯୋଗ ମିଳିପାରେ । ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଆରମ୍ଭ ହେବା ପରଠାରୁ ଲଗାତାର ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିଆସୁଥିବା ଋଷଭ ପନ୍ତଙ୍କ ସ୍ଥାନରେ ଈଶାନ କିଶନଙ୍କୁ ମଧ୍ୟ ଖେଳାଯାଇପାରେ। ତେବେ ଏହିସବୁ ନିଷ୍ପତ୍ତି ଇଡେନ୍ ଗାର୍ଡେନ୍ସର ପିଚ୍ ଓ ପରିବେଶ ଉପରେ ନିର୍ଭରଶୀଳ ରହିବ । ଜୟପୁରରେ ଯୁବ ବୋଲର ହର୍ଷଲ ପଟେଲ ପଦାର୍ପଣରେ ମ୍ୟାଚ୍ ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିବା ପରେ ଦଳୀୟ ପରିଚାଳକ ତାଙ୍କ ଉପରେ ପୁନର୍ବାର ଆସ୍ଥା ପ୍ରକଟ କରିପାରନ୍ତି । ନ୍ୟୁଜିଲାଣ୍ଡ ତାର ସଂଘର୍ଷରତ ମଧ୍ୟକ୍ରମରେ କିଛିଟା ଅଦଳ ବଦଳ କରିପାରେ ।






