ଓଡ଼ଗାଁ, (ବାଘୁଆବାର୍ତ୍ତା) : ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ଓଡିଶା ଜନସଚେତନତା ମଞ୍ଚର ଆବାହକ ସତ୍ୟବ୍ରତ ଦାଶ ଆଜି ଓଡ଼ଗାଁରେ ପହଞ୍ଚିଛନ୍ତି । ତାଙ୍କୁ ଓଡ଼ଗାଁ ହନୁମାନ ଛକ ଠାରେ ହିନ୍ଦୁ ସେନା ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଜିଲ୍ଲାପରିଷଦ ସଭ୍ୟ ବିଭୁ ପ୍ରସାଦ ସାହୁ ରଘୁନାଥ ମନ୍ଦିରଠାରେ ସତ୍ୟବ୍ରତଙ୍କୁ ପୁଷ୍ପମାଲ ଦେଇ ସ୍ୱାଗତ କରିବା ସହ ତାଙ୍କ ରହଣି ଏବଂ ଖାଦ୍ୟପେୟର ବ୍ୟବସ୍ଥା କରିଥିଲେ । ବିକାଶର ଧାରା ଓ ଓଡ଼ିଶାର ଉନ୍ନତି ପାଇଁ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଶ୍ରୀ ଦାସ ସୋମବାର ଦିନ ଓଡ଼ଗାଁ ବିଡ଼ିଓଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିବେ । ୨୦୧୯ ମସିହା ଜୁଲାଇ ୧୦ ତାରିଖରୁ ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକରୁ ପଦଯାତ୍ରା ଆରମ୍ଭ କରିଥିବା ଶ୍ରୀ ଦାସ ଆଜି ସୁଦ୍ଧା ୨୭୩ ବ୍ଲକରେ ଦାବିପତ୍ର ଦେବା ସହିତ ୮୬୦୦ରୁ ଉର୍ଦ୍ଧ୍ବ କି.ମି ଅତିକ୍ରମ କରିଛନ୍ତି । ଓଡ଼ଗାଁ ବ୍ଲକ ତାଙ୍କର ୨୭୪ତମ ବ୍ଲକ ହେବ ସମଗ୍ର ଓଡ଼ିଶାର ୩୧୪ ବ୍ଲକରେ ଦାବିପତ୍ର ଦେବା ପାଇଁ ତାଙ୍କର ଆଭିମୁଖ୍ୟ ରହିଛି ବୋଲି କହିଛନ୍ତି । ଶ୍ରୀ ଦାସଙ୍କୁ ସ୍ବେଛାସେବୀ ଶାନ୍ତନୁ ବିଶୋଇ ବାହାଡ଼ଝୋଲାଠାରେ ଭେଟି ଫୁଲମାଳ ଦେଇ ସ୍ୱାଗତ କରିବା ସହିତ ଓଡ଼ଗାଁ ପର୍ଯ୍ୟନ୍ତ ସମୁଦାୟ ୯ କି.ମିରୁ ଉର୍ଦ୍ଧ୍ବ ବାଟ ପଦଯାତ୍ରା କରିଥିଲେ ।





